୧୬ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋକସଭା ନିର୍ବାଚନ ପଖାଉଥିବାବେଳେ ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହି କମିଟିରେ ୧୬ ଜଣ ସଦସ୍ୟ ରହିଛନ୍ତି। କଂଗ୍ରେସର ନିର୍ବାଚନ କମିଟି(ସିଇସି) ଲୋକସଭା ଓ ବିଧାନସଭା ନିର୍ବାଚନରେ କେଉଁମାନେ ଦଳର ପ୍ରାର୍ଥୀ ହେବେ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ। ଏଥିସହ ଦଳର ସମସ୍ତ ପ୍ରଚାର ଦାୟିତ୍ୱ କଥା ବୁଝିଥାଏ।

ଆଗକୁ ୫ ରାଜ୍ୟର ବିଧାନସଭା ସହ ଲୋକସଭା ନିର୍ବାଚନ ଅଛି। ତେଣୁ ଦଳର ଅଧ୍ୟକ୍ଷ ଖଡଗେ ୧୬ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି। ଏହି କମିଟିରେ ନିଜେ ଖଡେଗ ରହିଥିବା ବେଳେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଅମ୍ବିକା ସୋନି ଓ କେସି ଭେନୁଗୋପାଲ ମଧ୍ୟ ରହିଛନ୍ତି। ସେହିପରି ନୂଆ କମିଟିରେ ଅଧୀର ରଞ୍ଜନ ଚୌଧୁରୀ, ସଲମାନ ଖୁର୍ସିଦ, ମଧୁସୂଦନ ମିସ୍ତ୍ରୀ, ଏନ ଉତ୍ତମ କୁମାର, ଟିଏସ୍‌ ସିଂହ ଦେଓ, ପ୍ରୀତିମ ସିଂହ, ମହମ୍ମଦ ଜାୱେଦ, ଅମୀ ୟାଗନିକ, ପିଏଲ ପୁନିଆ, କେଜେ ଜର୍ଜ ଓ ଓମକାର ମାରକମ ରହିଛନ୍ତି।

ତେବେ ପୂର୍ବରୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟିର ୭ ଜଣ ସଦସ୍ୟ ନୂଆ କମିଟିରୁ ବାଦ ପଡ଼ିଛନ୍ତି। ବାଦ ପଡ଼ିଥିବା ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏକେ ଆଣ୍ଟୋନୀଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି। ସେହିପରି ଗିରିଜା ବ୍ୟାସ, ଜନାର୍ଦ୍ଦନ ଦ୍ୱିବେଦୀ, ମୁକୁଲ ୱାସନିକ, ଏମ ବୀରାପ୍ପା ମୋଇଲୀ ଓ ମୋହସିନ କିଡୱାଇ ପୂର୍ବରୁ ଏହି କମିଟିରେ ରହିଥିବାବେଳେ ଏବେ ବାଦ୍ ପଡିଛନ୍ତି। ତେବେ ପୂର୍ବରୁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟଙ୍କ ସଂଖ୍ୟା ୧୧ ରହିଥିଲା, ହେଲେ ଏବେ ଏହାକୁ ୧୬ କରାଯାଇଛି।

Related Posts