ଏଣିକି ଇଣ୍ଡିଆ ନୁହଁ କେବଳ ‘ଭାରତ’!; G-20 ନିମନ୍ତ୍ରଣ ପତ୍ରକୁ ନେଇ ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି । ଦେଶର ଇଂରାଜୀ ନାମକୁ ପରିବର୍ତ୍ତନ କରିପାରନ୍ତି ସରକାର ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏନେଇ ସ୍ବତନ୍ତ୍ର ସମ୍ବିଧାନ ସଂଶୋଧନ ପ୍ରସ୍ତାବ କେନ୍ଦ୍ର ସରକାର ଆଣିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅନ୍ୟପଟେ ବିରୋଧୀ ଏହାକୁ କଟାକ୍ଷ କରି କହିଛନ୍ତି ଯେ, ବିରୋଧୀଙ୍କ ମେଣ୍ଟର ‘ଇଣ୍ଡିଆ’ ନାଁକୁ ନେଇ ସରକାର ଡରିଯାଇଛନ୍ତି । ତେଣୁ ସମ୍ବିଧାନ ସଂଶୋଧନ କରିବାକୁ ଯାଉଛନ୍ତି । କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ଓ୍ବେବସାଇଟ୍ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ଅବସରରେ ଡିନର ପାର୍ଟି ପାଇଁ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି । ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ।

ସେହିପରି ଆପ୍ ସାସଂଦ ସଞ୍ଜୟ ସିଂହ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ସମ୍ବିଧାନର ପ୍ରଥମ ଭାଗରେ ଇଣ୍ଡିଆ ଦାଟ୍ ଇଜ୍ ଭାରତ ବୋଲି ଲେଖାଯାଇଛି। ଏହାକୁ ବଦଳାଇବା ମାନେ ସମ୍ବିଧାନ ଉପରେ ବଡ଼ ଆକ୍ରମଣ ବୋଲି କହିଛନ୍ତି ।

ତେବେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକର ସମାଲୋଚନାକୁ କାଉଣ୍ଟର କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, “ଦେଶର ସମ୍ମାନ ଓ ଗର୍ବ ସହ ଜଡ଼ିତ ସବୁ ପ୍ରସଙ୍ଗକୁ କାହିଁକି କଂଗ୍ରେସ ବିରୋଧ କରୁଛି? ଭାରତ ଯୋଡ଼ ଯାତ୍ରା ନାଁରେ ରାଜନୀତିକ ଯାତ୍ରା କରୁଥିବା ଲୋକଙ୍କୁ ‘ଭାରତ ମାତା କି ଜୟ’ ନାରା ଦେବାରେ ଏତେ ଘୃଣା କାହିଁକି? ଏଥିରୁ ସ୍ପଷ୍ଟ ଯେ କଂଗ୍ରେସର ମନରେ ଦେଶ ପ୍ରତି ସମ୍ମାନ ଅଛି ନା ଦେଶର ସମ୍ବିଧାନ ପ୍ରତି ଭଲ ପାଇବା ଅଛି ନା ଦେଶର ସାମ୍ବିଧାନିକ ସଂସ୍ଥା ପ୍ରତି ସମ୍ମାନ ଅଛି। ତା’କୁ କେବଳ ଗୋଟିଏ ବିଶେଷ ପରିବାରର ଗୁଣଗାନ କରିବାର ଅଛି। ଦେଶ ବିରୋଧୀ ଓ ସମ୍ବିଧାନ ବିରୋଧୀ କଂଗ୍ରେସ ସମ୍ପର୍କରେ ଦେଶବାସୀ ଭଲ ଭାବେ ଜାଣିଛନ୍ତି।”

Related Posts