ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ମାମଲା

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦକୁ ବିରୋଧ କରି ଦାୟର ହୋଇଥିବା ଯାଚିକା ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଫଳରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାଏମ ରହିଛି । ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲଙ୍କୁ ପୁରୀ ଆସି ସ୍ଥିତି ପରଖିବାକୁ କହିଛନ୍ତି କୋର୍ଟ । ଉଭୟ ପୁରୀ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୧୭ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଓକିଲ ଶ୍ୱେତକେନ୍ଦୁ ମିଶ୍ର ।

ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ କୋଠା, ମଠ, ଦୋକାନକୁ ଭାଙ୍ଗିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାକୁ ବିରୋଧ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍‌ର ଦେବାଶିଷ ମିଶ୍ର ଏବଂ ଚେନ୍ନାଇର ଏକ ଏନ୍‌ଜିଓ ଜଣେ ବ୍ୟକ୍ତି ଅରବିନ୍ଦ ଲୋଚନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବାକୁ ସେମାନେ ପୃଥକ ପୃଥକଭାବେ ଆବେଦନ କରି ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣୀ କରିଛନ୍ତି । ଆବେଦନକୁ ଖାରଜ କରିବାକୁ ଆଡଭୋକେଟ୍‌ ଜେନେରାଲ କୋର୍ଟଙ୍କୁ କହିଥିଲେ । ଜଷ୍ଟିସ ବିପି ଦାସଙ୍କ କମିଶନର ସୁପାରିଶ ଅନୁସାରେ ଉଚ୍ଛେଦ କରାଯାଉଥିବା ଏଜି ପକ୍ଷ ରଖିଥିଲେ । ଏହା ଆଇନ ଅନୁଯାୟୀ କରାଯାଉଛି । ସମସ୍ତଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇ ଥିବା ସେ ଯୁକ୍ତି ବାଢ଼ିଥିଲେ । ସେହିପରି ସମସ୍ତ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ରାଜ୍ୟ ସରକାର ଥଇଥାନ କରିବେ ବୋଲି ଏଜି କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏହାରି ଆଧାରରେ କୋର୍ଟ ଉଭୟ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ।

ଅନ୍ୟପକ୍ଷରେ ପୁରୀରେ ଉଚ୍ଛେଦ ପ୍ରକ୍ରିୟାର ତଦାରଖ କରିବାକୁ ଆଡଭୋକେଟ୍‌ ଜେନେରାଲ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର୍‌ ଜେନେରାଲ ତୁଷାର ମେହେଙ୍କୁ ଆମନ୍ତ୍ରଣ କରିଛନ୍ତି । ସେହିପରି କୋର୍ଟ ମଧ୍ୟ ଉଭୟଙ୍କୁ ପୁରୀ ଯାଇ ସ୍ଥିତି ପରଖିବାକୁ କହିଛନ୍ତି । ଏହା ପରେ ଉଭୟ ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲ ପୁରୀ ଆସିବାକୁ ସମ୍ମତି ଦେଇଛନ୍ତି । ଆସନ୍ତା ୯ ଓ ୧୦ ତାରିଖରେ ଦୁଇ ଦିନିଆ ଗସ୍ତରେ ଆସିବେ ରଞ୍ଜିତ କୁମାର ଓ ତୁଷାର ମେହେଟ୍ଟା । ସେମାନେ ପୁରୀ ଆସି ସମୀକ୍ଷା କରି କୋର୍ଟଙ୍କୁ ରିପୋର୍ଟ ଦେବେ । ଏହା ପରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ ।

Related Posts