ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ବ୍ୟବହାର ନିମନ୍ତେ ସର୍ବନିମ୍ନ ବୟସ ଧାର୍ଯ୍ୟ କରିବାକୁ ହାଇକୋର୍ଟ କହିଛନ୍ତି। ଏହା ସହିତ ଇଣ୍ଟରନେଟରୁ ମୁଣ୍ଡ ଖରାପ କରୁଥିବା କଣ୍ଟେଣ୍ଟ (ବିଷୟବସ୍ତୁ) ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଟ୍ବିଟରର ଏକ ମାମଲାର ଶୁଣାଣି କରି ଜଷ୍ଟିସ ଜି ନରେନ୍ଦ୍ର ଏବଂ ଜଷ୍ଟିସ ବିଜୟକୁମାର ଏ ପାଟିଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମକୁ ବନ୍ଦ କରିଦେଲେ ଭଲ ହେବ। ଆଜିକାଲି ସ୍କୁଲ୍‌ ଯାଉଥିବା ପିଲା ମଧ୍ୟ ଏହି ଅଭ୍ୟାସରେ ପଡ଼ି ଗଲେଣି। ଏହାର ଅନେକ ଖରାପ ଦିଗ ମଧ୍ୟ ରହିଛି। ୧୭ କିମ୍ବା ୧୮ ବର୍ଷର ଯୁବା ସବୁଠାରୁ ଅଧିକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଦେଶର ସ୍ବାର୍ଥ ଏବଂ ବିରୋଧରେ ନିଷ୍ପତ୍ତି ନେବାରେ ସେମାନେ ପରିପକ୍ବ ହେଲେଣି କି ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ସାମାଜିକ ଗଣମାଧ୍ୟମ ବ୍ୟବହାର ଲାଗି ସର୍ବନିମ୍ନ ବୟସ ଧାର୍ଯ୍ୟ କଲେ ତାହା ବରଦାନ ସାବ୍ୟସ୍ତ ହେବ। ଏଥିପାଇଁ ୨୧ ବର୍ଷ ଧାର୍ଯ୍ୟ କଲେ ସଠିକ୍‌ ହେବ। ଯଦି କେହି ପଞ୍ଜିକରଣ କରିବେ ତେବେ ତାଙ୍କୁ ଜରୁରୀ ସୂଚନା ଦେବାକୁ ପଡ଼ିବ। ପୂର୍ବରୁ ଅନ୍‌ଲାଇନ ଗେମ୍‌ ପାଇଁ ଏପରି ସୂଚନା ଦିଆଯାଉଛି। ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ୨୦୨୧ ଫେବୃଆରୀ ୨ ଏବଂ ୨୮ ମଧ୍ୟରେ ଟ୍ବିଟର (ଏକ୍ସ) ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଏଥିରେ ୧୪୭୪ ଆକାଉଣ୍ଟ, ୧୭୫ ଟ୍ବିଟ୍‌, ୨୫୬ ୟୁଆରଏଲ ଏବଂ ଏକ ହାସ୍‌ଟ୍ୟାଗ୍‌କୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରୁ ୩୯ଟି ୟୁଆରଏଲକୁ ନେଇ ଟ୍ବିଟର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଜୁନ୍‌ ୩୦ରେ ହାଇକୋଟଙ୍କ ଏକକ ଖଣ୍ଡପୀଠ ଟ୍ବିଟରର ଆବେଦନକୁ ଖାରଜ କରି ସରକାରଙ୍କ ନିର୍ଦ୍ଦେଶ ନ ମାନିବା ପାଇଁ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇ ଥିଲେ। ଟ୍ବିଟର ଏହାକୁ ବିରୋଧ କରିଥିଲା। କୋର୍ଟ ଏହି ଆବେଦନକୁ ସ୍ବୀକାର କରି ପ୍ରଥମେ ଜରିମାନା ରାଶିର ୫୦ ପ୍ରତିଶତ ଦାଖଲ କରିବାକୁ କହିଥିଲେ। କମ୍ପାନୀ ଉପରେ ଜରିମାନା ଲଗାଇବା ଅନ୍ୟାୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି ସମୟରେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।