ରାଜ୍ୟରେ ପ୍ରଚଳିତ ଶାସନ ବ୍ୟବସ୍ଥାକୁ ବିରୋଧ; ବିଧାନସଭା ଘେରିଲା ‘ମୋ ଦଳ’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାର କିଛି ସମୟ ଆଗରୁ ରାଜ୍ୟରେ ସଚିବ ଶାସନ ବ୍ୟବସ୍ଥାକୁ ବିରୋଧ କରି ବିଧାନସଭା ଭିତରକୁ ଧସେଇ ପଶିଲା ମୋ ଦଳ। ମୋ ଦଳର ଶତାଧିକ କର୍ମୀ 5T ଇନଚାର୍ଜ ଭି କେ ପାଣ୍ଡିଆନଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧସେଇ ଉଦ୍ୟମ ବେଳେ ପୁଲିସ ସହ ମୋ ଦଳ କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି।

ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେ କହିଛନ୍ତି, ନେତା ମନ୍ତ୍ରୀ ଘରକୁ ଯାଅ, ପାଣ୍ଡିଆନ୍ ବିଧାନସଭା ଚଳାଅ। ତାମିଲ ଶାସନ ଚଳିବ ନାହିଁ ବୋଲି ସେ ନାରା ଦେଇଛନ୍ତି। ଯଦି ଜଣେ ସଚିବ ସବୁ କରିବେ, ତାହେଲେ ବିଧାନସଭା କାହିଁକି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚିବ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି, ହେଲେ ନେତା ମନ୍ତ୍ରୀଙ୍କ ଦେଖା ମିଳୁନି। ତେଣୁ ନିର୍ବାଚିତ ପ୍ରତିନିଧିମାନେ କାହିଁକି ବିଧାନସଭାରେ ବସିବେ ବୋଲି ପ୍ରଶ୍ନ କରିଛନ୍ତି ସେ। ୨୦୨୪ରେ ନବୀନ ସରକାର ହଟାଇବାକୁ ସେ ନିବେଦନ କରିଛନ୍ତି। ନବୀନ ସରକାର କୃଷକମାନଙ୍କୁ ପ୍ରତାରିତ କରିଛନ୍ତି। ଏଣୁ ୨୦୨୪ରେ ମୋ ଦଳ ସରକାର ଗଢିବ ବୋଲି ଅକ୍ଷୟ କୁମାର ଦୃଢୋକ୍ତି କରିଛନ୍ତି।

ଅନ୍ୟପଟେ ପୁଲିସ ମୋ ଦଳର ଶତାଧିକ କର୍ମୀମାନଙ୍କୁ ବଳପୂର୍ବକ ଉଠାଇନେଇଥିବା ଦେଖିବାକୁ ମିଳିଛି। ଏହାପରେ ଦଳର କର୍ମୀମାନେ ପୁଲିସ ବିରୁଦ୍ଧରେ ମଧ୍ୟ ବିଷୋଦଗାର କରିଛନ୍ତି।

Related Posts