ମୋଦୀଙ୍କ ବୈଦେଶିକ ନୀତି ଓ ଦୁର୍ନୀତି ବିରୋଧୀ କାର୍ଯ୍ୟକୁ ନବୀନଙ୍କ ପ୍ରଶଂସା; ୧୦ରୁ ଦେଲେ ୮ ନମ୍ବର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସହ ଆମର ଭଲ ସମ୍ପର୍କ ରହିଛି। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଥିବାରୁ ମୁଁ ତାଙ୍କୁ ୧୦ରୁ ୮ ନମ୍ବର ଦେବି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସଂଧ୍ୟାରେ ଏଭଳି ମତ ଦେଇଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତି ଓ ଦୁର୍ନୀତି ବିରୋଧୀ କାର୍ଯ୍ୟ ପାଇଁ ନବୀନ ତାଙ୍କୁ ପ୍ରଶଂସା କରିଛନ୍ତି।

ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ଆୟୋଜିତ ସାହିତ୍ୟ ଉତ୍ସବ ‘ଅ’ର ଉଦଯାପନୀ ଉତ୍ସବରେ ଯୋଗ ଦେବା ଅବସରରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲା ତାଙ୍କର ସାକ୍ଷାତକାର ନେଇଥିଲେ। ଶ୍ରୀ ଚାୱାଲା ପ୍ରଶ୍ନ କରିଥିଲେ ଯେ, ଆପଣ ଏତେ ଲୋକପ୍ରିୟ ହେଲେ କିପରି? ନବୀନଙ୍କ ଉତ୍ତର ଥିଲା, ମୁଁ ଯେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଲି ସେବେ ଓଡ଼ିଶାରେ ଦାରିଦ୍ର୍ୟ ଚରମ ସୀମାରେ ଥିଲା। ଦାରିଦ୍ର୍ୟ ଦୂରୀକରଣ ମୋର ପ୍ରଥମ ସଂକଳ୍ପ ଥିଲା। ଦାରିଦ୍ର୍ୟ ଏବେ ଅନେକ କମିଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଆଦି ଦିଗରେ କାର୍ଯ୍ୟ କରିଥିଲୁ। ୧୯୯୯ ମହାବାତ୍ୟା ଆମକୁ ବଡ଼ ଶିକ୍ଷା ଦେଇଥିଲା। ଏହା ପରେ ଆମେ ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରୁଛୁ।

ଆଗୁଆ ନିର୍ବାଚନ ସମ୍ପର୍କରେ ନବୀନ କହିଛନ୍ତି, ଯେ କୌଣସି ସମୟରେ ଭୋଟ୍ ପାଇଁ ଆମେ ପ୍ରସ୍ତୁତ। ୱାନ୍ ନେସନ୍, ୱାନ୍ ଇଲେକ୍ସନ୍‌କୁ ଆମେ ସବୁବେଳେ ସ୍ବାଗତ କରିଆସୁଛୁ। ମହିଳା ସଂରକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ। ଓଡ଼ିଶାରୁ ହିଁ ମହିଳା ସଂରକ୍ଷଣର ସ୍ବର ଉଠିଥିଲା। ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ମହିଳାଙ୍କ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥିଲା। ମହିଳାଙ୍କୁ ସ୍ବାବଳମ୍ବୀ କରିବା ପାଇଁ ‘ମିସନ୍ ଶକ୍ତି’ ମୋ ସରକାରର ଅଭିନବ ପ୍ରୟାସ। ଏହା ଅଧୀନରେ ୭୦ ଲକ୍ଷ ମହିଳା ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ନବୀନ କହିଛନ୍ତି।

Related Posts