‘ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ସିଏମଓର ଅଧିକାରୀଙ୍କୁ ମୁଁ ନିର୍ଦ୍ଦେଶ ଦେଇଥିଲି’: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସିଏମ୍‌ଓ ଗସ୍ତ ନେଇ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ବ ଦିଏ | କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ମୁଁ ନିର୍ଦ୍ଦେଶ ଦେଇଥିଲି। ସିଏମଓର ଅଫିସରମାନେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ବାଟ ବାହାର କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସିଏମଓ ଗତ ୬ ମାସରେ ରାଜ୍ୟର ୧୯୦ ଜାଗାରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍‌ ପାଇଥିଲା। ସେଥିରୁ ୪୩,୫୩୬ ପିଟିସନ୍‌ର ସମାଧାନ ହୋଇପାରିଛି। ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା। ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡ଼ା ହୋଇଥାନ୍ତା। ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ ସିଏମଓର ତ୍ରୁଟି ନାହିଁ। କୋଭିଡ ବେଳେ ବି ଏହି ଟିମ୍ ଜିଲ୍ଲା ଗସ୍ତ କରିଥିଲେ।

ସେହିପରି ହେଲିକେପ୍ଟର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ଲାଗିଥାନ୍ତା। ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି। ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ବାରା ପରିଚାଳିତ | ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ | ଲୋକଙ୍କ ସମସ୍ୟା ସମାଧାନ ହେଉଛି, ସମସ୍ତେ ଏନେଇ ଖୁସି | ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଏହାକୁ ବିରୋଧ କରିବା ଠିକ ନୁହଁ | ଲୋକଙ୍କ ସମସ୍ୟା ସମାଧାନ ମୋ ସରକାରର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

ଏଣେ ପୋଡିୟମ ତଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଜାରି ରଖିଥିଲେ। ମନ୍ତ୍ରୀ ବଡ଼ ନା ସଚିବ ବଡ଼, ଗଣତନ୍ତ୍ରକୁ ହତ୍ୟା ଭଳି ସ୍ଲୋଗାନ ଦେଇ ସେମାନେ ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Related Posts