ଏସୀୟ କ୍ରୀଡ଼ା-୨୦୨୩; ସର୍ବ କନିଷ୍ଠ ଭାରତୀୟ ଖେଳାଳି ଭାବେ ଟି-୨୦ ଶତକ କରି ଇତିହାସ ରଚିଲେ ଯଶସ୍ବୀ ଜୈଶୱାଲ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ା-୨୦୨୩ର ଟିମ୍‌ ଇଣ୍ଡିଆର ଓପେନିଂ ମ୍ୟାଚ୍‌ରେ ମଙ୍ଗଳବାର ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍‌ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍‌ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବ କନିଷ୍ଠ ଭାରତୀୟ ଖେଳାଳି ଭାବେ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ।

ରାଜସ୍ଥାନ ରୟାଲ୍‌ସର ଏହି ଉଦୀୟମାନ୍‌ ବ୍ୟାଟ୍ସମ୍ୟାନ ଗତ ଅଗଷ୍ଟ ମାସରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଭାରତ ପାଇଁ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ।‌ ସେ ଆଜି ଏସୀୟ କ୍ରୀଡ଼ା-୨୦୨୩ର ପ୍ରଥମ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ମାତ୍ର ୪୮ ବଲ୍‌ରେ ଶତକ ହାସଲ କରି ରେକର୍ଡ କରିଛନ୍ତି।

୧୬ ଓଭର୍‌ର ପଞ୍ଚମ ବଲ୍‌ରେ ଏକ ସିଙ୍ଗ୍‌ଲ ରନ୍‌ ନେଇ ଯଶସ୍ବୀ ଶତକ କରିଛନ୍ତି। ସେହି ସମୟ‌ରେ ବୋଲ୍‌ର ଥିଲେ ସୋମପାଲ୍‌ କାମି। ହେଲେ ଯଶସ୍ବୀ ଶତକ କରିବା ପରେ ଆଉ ବେଶି ସମୟ ତିଷ୍ଠି ରହି ପାରିନଥିଲେ। ତାଙ୍କ ଇନିଂସର ୪୯ତମ ବଲ୍‌ରେ ସେ ଆଉଟ୍‌ ହୋଇ ଯାଇଥିଲେ। ଏହା ଥିଲା ତାଙ୍କର ‌‌ଷଷ୍ଠ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌। ସେ ଏହି ମ୍ୟାଚ୍‌ରେ ୯.୫ ଓଭର୍‌‌ ଖେଳି ଟିମ୍‌କୁ ୧୦୩ ରନ୍‌ ଦେବାରେ ସମର୍ଥ ହୋଇଛନ୍ତି।

ଉତ୍ତରପ୍ରଦେଶର ଭଦୋହିରୁ ଜଣେ ଭଲ କ୍ରିକେଟର ହେବାର ସ୍ୱପ୍ନ ନେଇ ଆସିଥିବା ବେଳେ ଆଜି ତାଙ୍କର ସ୍ୱପ୍ନ ସାକାର ହୋଇଛି । ତେବେ କିଭଳି ଯଶ୍ୱସୀ ସବୁ ପରିସ୍ଥିତିର ସାମ୍ନା କରି ଆଗକୁ ବଢ଼ିଥିଲେ ଏବଂ କିଭଳି ତାଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା ତାଙ୍କୁ ୧୧ବର୍ଷ ହୋଇଥିବା ବେଳେ ସେ ନିଜ ଗାଁ ଭଦୋହିରୁ ବାହାରି ମୁମ୍ବାଇରେ ପହଞ୍ଚିଥିଲେ । ଉଚ୍ଚ ସ୍ତରରେ କ୍ରିକେଟ ଖେଳିବାର ଲକ୍ଷ୍ୟ ନେଇ ସେ ମୁମ୍ବାଇରେ ନିଜର ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ମୁମ୍ବାଇରେ ରହିବା ପାଇଁ ଘର ଖୋଜିବା ତାଙ୍କ ପାଇଁ କାଠିକର ପାଠ ହୋଇ ପଡ଼ିଥିଲା । ପ୍ରଥମେ ସେ କଲ୍‌ବାଦେବୀରେ ଥିବା ଗୋଶାଳାରେ ରହିବା ଆରମ୍ଭ କରିଥିଲେ । କିନ୍ତୁ ସେଠାରେ ସେ ଅଧିକ ସାହାଯ୍ୟ ନ କରି ପାରିବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ଯାହା ପରେ ଯଶ୍ୱସୀଙ୍କ ମାତା-ପିତା ନିଜର ଜଣେ ସଂପର୍କୀୟଙ୍କ ଘରେ ତାଙ୍କୁ ରହିବାକୁ କହିଥିଲେ । କିନ୍ତୁ ସେଠାରେ ମଧ୍ୟ ସେ ବେଶି ଦିନ ରହି ପାରି ନଥିଲେ । ଯଶ୍ୱସୀଙ୍କ ସଂପର୍କୀୟ ତାଙ୍କୁ ମୁସ୍‌ଲିମ୍‌ ୟୁନାଇଟେଡ୍‌ କ୍ଲବ୍‌କୁ ପଠାଇ ଦେଇଥିଲେ । ଯେଉଁଠି ଯଶ୍ୱସୀ ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ଏକ ଟେଣ୍ଟରେ ରହିଥିଲେ ।

ଖରା,ବର୍ଷା ଓ ଶୀତ ସବୁକୁ ସହି ସେ ନିଜର ସ୍ୱପ୍ନ ପୂରା କରିବାର ଚେଷ୍ଟା ଆରମ୍ଭ କରିଥିଲେ । ଖାଇବା ପାଇଁ ଟଙ୍କା ନଥିବାରୁ ସେ ରାମଲୀଲାରେ ଗୁପ୍‌ ଚୁପ୍‌ ବିକିବା ସହ ରୁଟି ତିଆରି କରିବା ଓ ଫଳ ବିକିବା ଭଳି କାମ କରିବା ଆରମ୍ଭ କରିଥିଲେ । ଏହା ପରେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା । ଡିସେମ୍ବର ୨୦୧୩ରେ ମୁମ୍ବାଇର ଆଜାଦ ମଇଦାନରେ ତାଙ୍କୁ ଦେଖିଥିଲେ ପୂର୍ବତନ ମୁମ୍ବାଇ କ୍ରିକେଟର ଓ ବର୍ତ୍ତମାନ କୋଚ୍‌ ଥିବା ଜ୍ୱାଲା ସିଂହ । ଯଶ୍ୱସୀଙ୍କ ଷ୍ଟ୍ରୋକ୍‌ପ୍ଲେ ଦେଖି ପ୍ରଭାବିତ ହେବା ସହ ତାଙ୍କୁ ଦେଖା କରିବା ପାଇଁ ଜ୍ୱାଲା ସିଂହ ଡ଼କାଇଥିଲେ । କିଛି ସମୟ କଥାବାର୍ତ୍ତ ହେବା ପରେ ଯଶ୍ୱସୀଙ୍କ ଜୀବନ କାହାଣୀ ଭିତରେ ସେ ନିଜକୁ ଖୋଜି ପାଇଥିଲେ । କାରଣ ୧୯୯୫ରେ ଜ୍ୱାଲା ସିଂହ ମଧ୍ୟ ଉତ୍ତରପ୍ରଦେଶର ଗୋରଖପୁରରୁ ମୁମ୍ବାଇ ଆସିଥିଲେ । ଯଶ୍ୱସୀଙ୍କ କାହାଣୀ ଶୁଣି ସେ ତାଙ୍କୁ ନିଜ ପାଖରେ ରଖିବା ସହ କ୍ରିକେଟ ଟ୍ରେନିଂ ଦେବା ଆରମ୍ଭ କରିଥିଲେ ।

Related Posts