ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ୟାଙ୍କମିତ୍ର ଭାରତୀ ସିଂଙ୍କ ନିଲମ୍ବନ ମାମଲା ଜାତୀୟ ମାନବାଧିକାର କମିସନ୍ଙ୍କ ନିକଟରେ ପହଞ୍ଚିଛି। ବିନା କାରଣ ଓ ନୋଟିସ୍ରେ ଭାରତୀଙ୍କୁ ଚାକିରିରୁ ନିଲମ୍ବନ କରିବା ମାନବାଧିକାର ଉଲ୍ଲଂଘନ। ତେଣୁ ଏହି ସମ୍ବେଦନଶୀଳ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଭାରତୀଙ୍କୁ ନ୍ୟାୟ ଦେବା ପାଇଁ ଏନ୍ଏଚ୍ଆର୍ସିରେ ୧୬୫୫୯/୨୦୨୩ରେ ମାମଲା ରୁଜୁ କରିଛନ୍ତି ‘ଲଢ଼େଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ।ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ; ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବନ୍ଧଗୋଡ଼ା ଗାଁର ଭାରତୀ ସିଂ ୪ ବର୍ଷ ହେଲା ୬ ହଜାର ଟଙ୍କା ଦରମାରେ ବ୍ୟାଙ୍କମିତ୍ର ଭାବେ କାମ କରି ଆସୁଥିଲେ। ସେପ୍ଟେମ୍ବର ୧୧ ତାରିଖରେ ସେ ଭୁବନେଶ୍ୱରରେ ସ୍ୱୟଂ ସହାୟିକା ମହିଳାଙ୍କ ଆନ୍ଦୋଳନରେ ସାମିଲ ହୋଇ ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ପାଇଁ ଦାବି କରିବା ସହ ସରକାରଙ୍କ ବ୍ୟବସ୍ଥା ବିରୋଧରେ ଗଣମାଧ୍ୟମରେ କିଛି ଟିପ୍ପଣୀ ରଖିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଭାରତୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନେକ ଗୁହାରି କରିଥିଲେ ବି କିଛି ଫଳ ମିଳିନି। ଏପଟେ ଭାରତୀଙ୍କ ସପକ୍ଷରେ ବିଜେପି ଓ କଂଗ୍ରେସର ବହୁ ନେତାଙ୍କ ସହ ଆଦିବାସୀ ମୁଣ୍ଡାରୀ ସଂପ୍ରଦାୟ ସ୍ବର ଉଠାଇଛନ୍ତି। ଏନେଇ ଗୁରୁବାର ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଭାରତୀଙ୍କୁ ନ୍ୟାୟ ପ୍ରଦାନ ଓ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।





