ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୋଳ ବସ୍ଷ୍ଟାଣ୍ଡ ବାଦାମବାଡିରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପାଠାଗାର ଓ ରିଡିଂହଲ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ୩୦, ୫୮,୩୧,୧୦୦ ଟଙ୍କା ମଞ୍ଜୁରୀ ହୋଇଛି।
5T ଇନଚାର୍ଜ୍ ଙ୍କ କଟକ ଗସ୍ତ ସମୟରେ ସ୍ଵର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ସ୍ମୃତିରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମତ ପ୍ରକାଶ ପାଇଥିଲା। କଟକବାସୀଙ୍କ ମତାମତକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବାଦାମବାଡିରେ ଲାଇବ୍ରେରୀରେ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଲାଇବ୍ରେରୀରେ ଏକ ବଡ ରିଡିଂ ହଲ୍ ମଧ୍ୟ ରହିବ। ଯେଉଁଠି ପାଠକ ପାଠିକାମାନେ ବସି ପଢ଼ିପାରିବେ।
ସୂଚନାଯୋଗ୍ୟ, ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ। ସାଧୀନତା ସଂଗ୍ରାମରେ ଯୋଗଦେଇ ସେ କାରାବରଣ କରିଥିଲେ। ପରେ ସମାଜବାଦୀ ଆନ୍ଦୋଳନରେ ଯୋଗଦେଇ ଦଳିତ, ଶ୍ରମିକ ଓ ମଜ୍ଦୁରମାନଙ୍କ ସ୍ୱାର୍ଥ୍ୟର ସୁରକ୍ଷା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ। ତାଙ୍କ ନାଁରେ ଲାଇବ୍ରେରୀ ପ୍ରତିଷ୍ଠା ଦ୍ୱାରା ସ୍ୱର୍ଗତ ପଣ୍ଡିତଙ୍କର ସ୍ମୃତିକୁ ଉପଯୁକ୍ତ ସମ୍ମାନ ମିଳିବା ସହିତ ତାଙ୍କ ଅବଦାନ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବସମାଜ ଅବଗତ ହେବା ସହିତ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।





