ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ବିରୋଧୀ ଦଳ ନେତା ନେତା ତଥା ବର୍ତ୍ତମାନର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରିବେ ବୋଲି ନରସିଂହ କହିଛନ୍ତି। ସାଂପ୍ରତିକ ରାଜନୈତିକ ପ୍ରେକ୍ଷାପଟରେ ସମରେନ୍ଦ୍ର ହିଁ ଯୋଗ୍ୟ ପ୍ରାର୍ଥୀ ବୋଲି ସେ କହିଥିବା ବେଳେ ଦଳର ନିଷ୍ପତ୍ତି ଉପରେ ସେ ଏହାକୁ ଛାଡ଼ି ଦେଇଛନ୍ତି।
ସୂଚନାଯୋଗ୍ୟ, ସମରେନ୍ଦ୍ର ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସଂପ୍ରତି ସମରେନ୍ଦ୍ର ଏଆଇସିସି ସଦସ୍ୟ ମଧ୍ୟ ଅଛନ୍ତି। ଗତ ଶନିବାର କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମରେନ୍ଦ୍ର ମଧ୍ୟ ସେ କେବଳ କଂଗ୍ରେସ ଦଳରୁ ହିଁ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ।
ଅନ୍ୟପକ୍ଷରେ ନରସିଂହ ତାଙ୍କର ସ୍ବାସ୍ଥ୍ୟଗତ କାରଣରୁ ଯଦିଓ ର୍ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ତେବେ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ରବିବାର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ସମରେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା। ସେ ବାପା ନରସିଂହଙ୍କ ସହିତ ଘରକୁ ଘର ବୁଲି ଜନସାଧାରଣଙ୍କ ସହିତ ସାକ୍ଷାତ ଆଲୋଚନା କରିବା ସହିତ କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ ମିଶିଥିବା ଦେଖା ଯାଇଥିଲା।





