ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ମେଲାଣି ନେଉଛନ୍ତି ମା । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେଉଛନ୍ତି ମା’ଦୁର୍ଗା । ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ୱର-କଟକ ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । କଟକରେ ଗତକାଲି ରାତିଠୁ ଉସାଣ ଉତ୍ସବ ଆରମ୍ଭ ହୋଇଯାଇଛି । ମେଢ ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ନିଶ୍ଚିନ୍ତ କରାଯାଇଛି ଯେଉଁ ରାସ୍ତା ଦେଇ ସମସ୍ତ ମେଢ ଦେବୀଗଡ଼ା ନିକଟରେ ପହଞ୍ଚିବେ । ସେହିପରି ଭୁବନେଶ୍ୱରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ନୟାପଲ୍ଲୀ, ସହିଦନଗର, ରସୁଲଗଢ,ପରି ସମସ୍ତ ପୂଜା କମିଟି ଭସାଣ ଉତ୍ସବରେ ଏକାଠି ସାମିଲ ହେବେ । ମୂର୍ତ୍ତି ବିସର୍ଜନ ପାଇଁ ଦୟାନଦୀ, ବାଙ୍କୁଆଳରେ ଗୋଟିଏ ଏବଂ କୁଆଖାଇରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି ।
ତେବେ ଭସାଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଆଜି ଭୁବନେଶ୍ୱରରେ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଯେଉଁ ସମୟରେ ଯାନବାହନ ଚଳଚଳ ଉପରେ କଟକଣା ଜାରି କରାଯାଇଛି । ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ଯାନବାହନ ମନା ।
ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ । ଜନପଥ ରାସ୍ତାରେ ଯାନବାହନ ମନା, ସଚିବାଳୟ ରାସ୍ତା ଦେଇ ଯିବ। ନୟାପଲ୍ଲୀ ଭସାଣ ପାଇଁ CRP ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ସେହିପରି ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା । ସେସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ । ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍ରେ ଯିବ । ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ।
ସେହିପରି କଟକରେ ଭସାଣ ସମୟରେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଅନୁମତି ଦିଆଯାଇ ନାହିଁ । କଟକ କଲେଜ ଛକ ନିକଟରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିବା ପାଇଁ ଅନୁମତି ନାହିଁ । ସେହିପରି ତିନିକୋଣିଆ ବଗିତା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିବା ବେଳେ ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି ।
ସେହିପରି ଚଣ୍ତିଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ମଧ୍ୟ ଯାନବାହ ଯିବା ଉପରେ କଟକଣା ଲାଗଯାଇଛି । ତେବେ ଯଦି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଭରିବାକୁ ପଡିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ ।





