T-Seriesର ସଫଳତା; କାଳିଆ ପରେ ୧ ଲକ୍ଷ ୬୫ ହଜାର ଚାଷୀ ଗାଏବ : EXCLUSIVE

ଚାଷୀ ଓ ଚାଷର ଉନ୍ନତି ପାଇଁ ନିର୍ବାଚନ ପୂର୍ବରୁ ସରକାର ‘କାଳିଆ’ ଯୋଜନା କଲେ । କୃଷି ବିଭାଗର ନାଁ ବଦଳାଇଲେ । ଅଲଗା କୃଷି କ୍ୟାବିନେଟ୍‌ କଲେ । ଏଥିପାଇଁ ସ୍ବତନ୍ତ୍ର ଓ ଭିନ୍ନ ବଜେଟ୍‌ ମଧ୍ୟ କଲେ । ହେଲେ ଏବେ ଲକ୍ଷାଧିକ ଚାଷୀ ନିଜର କୁଳବେଉସା ଚାଷକୁ ଛାଡ଼ୁଛନ୍ତି । କୃଷି ବିଭାଗର ନିକଟରେ ପ୍ରକାଶିତ ଏକ ସରକାରୀ ବିଜ୍ଞପ୍ତିରେ ବର୍ଷେ ମଧ୍ୟରେ ରାଜ୍ୟରେ ଏକ ଲକ୍ଷ 65 ହଜାର ଚାଷୀ ଛାଷ ଛାଡ଼ିଥିବାର ତଥ୍ୟ ସାମ୍ନାକୁ ଆସିଛି । ଚିଠି ନମ୍ବର-13523, ତାରିଖ-19.09.2019 ।

ଚାଷୀମାନେ ଖରିଫ ଧାନ ପାଇଁ ନାମ ପଞ୍ଜୀକୃତ କରିବାକୁ ବିଜ୍ଞପ୍ତି ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । କିନ୍ତୁ ପୂର୍ବ ବର୍ଷରେ ନାମ ପଞ୍ଜିକୃତ କରିଥିବା ଚାଷୀଙ୍କଠୁ ବହୁ କମ୍‌ ସଂଖ୍ୟାରେ ଏଥର ଚାଷୀ ନାମ ପଞ୍ଜିକୃତ କରିଛନ୍ତି । ଏଣୁ ପୁଣି ଥରେ ବିଜ୍ଞାପନ ଦିଆଗଲା । ଏହା ସତ୍ବେ ପୂର୍ବ ବର୍ଷ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରେଜିଷ୍ଟେସନ କରିଥିବା ଚାଷୀଙ୍କ ତୁଳନାରେ ଏକ ଲକ୍ଷ 64 ହଜାର 595 ଚାଷୀ ନାମ ପଞ୍ଜିକୃତ କରିନାହାନ୍ତି ।

ବିଶେଷ କରି ମୟୂରଭଞ୍ଜ ଓ ଭଦ୍ରକରେ ଚାଷୀଙ୍କ ସଂଖ୍ୟା ଅଧିକ କମିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହାକୁ ନେଇ ଉଠିଛି ପ୍ରଶ୍ନ । ସମସ୍ତ ସହାୟତା ପ୍ରୋତ୍ସାହନ ସତ୍ତ୍ବେ ଏତେ ସଂଖ୍ୟାରେ ଚାଷୀ କୁଆଡ଼େ ଗଲେ ? ଏ ବାବଦରେ ବିରୋଧୀ କଂଗ୍ରେସ ଦଳର କହିବା କଥା ଯେ ରାଜ୍ୟରେ ବହୁ ସଂଖ୍ୟାରେ ଚାଷୀ ଚାଷ କାମ ଛାଡ଼ିବାର ମୂଳ କାରଣ ହେଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି ନହେବା । ତାଛଡ଼ା ଋଣଛାଡ଼ ଏବଂ ପେନସନ ମଧ୍ୟ ସରକାର ଦେବାର ନାଁ ଧରୁନାହାନ୍ତି । ପ୍ରତ୍ୟେକ ବର୍ଷ କ୍ବିଣ୍ଟାଲ ପିଛା ଧାନ ଉତ୍ପାଦନ ଖର୍ଚ୍ଚ ଓ ସର୍ବନିମ୍ନ ସହାୟକ ମୂଲ୍ୟ ଭିତରେ ଚାଷୀଙ୍କୁ ପ୍ରାୟ 600ରୁ 700 ଟଙ୍କା କ୍ଷତି ସହିବାକୁ ପଡ଼ୁଛି । ସେଥିପାଇଁ ବହୁ ଚାଷୀ ଧାନ ଚାଷ କରିବା ଛାଡ଼ୁଛନ୍ତି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି । ଏହା ବ୍ୟତୀତ ଅନେକ ଜାଗାରେ ଦଲାଲଙ୍କ ଜରିଆରେ ଧାନ କିଣା-ବିକା ଏବେ ବି ଜୋରସୋରରେ ଚାଲିଛି ।

Related Posts