ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ନିମାପଡ଼ା ବିଧାନସଭା ଆସନ ପାଇଁ ବୁଧବାର ଟିକେଟ ଘୋଷଣା କରିଛି ବିଜେଡି। ଆଉ ଏଥର ଦଳ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ କଟିଛି | ସମୀରଙ୍କ ବଦଳରେ ୧୦ ଦିନ ତଳେ ବିଜେଡିରେ ମିଶିଥିବା ଦିଲୀପ କୁମାର ନାୟକଙ୍କୁ ଟିକେଟ ମିଳିଛି। ଆଉ ୩-୩ ଥରର ବିଧାୟକ ସମୀରଙ୍କର ଟିକେଟ କାହିଁକି କାଟିଲା ଏବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି | ନିକଟରେ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇଥିିଲେ ସମୀର | ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ସମୀରଙ୍କ ହାତ ଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିରୋଧୀ | ଆଉ ଏସବୁ ବିବାଦ ମଧ୍ୟରେ ଧର୍ମେନ୍ଦ୍ର ଜିଲ୍ଳା ପରିଷଦ ଥିବା ୧୧ ନମ୍ବର ଜୋନ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରାଜିତ ହୋଇଥିଲେ | ଏହି ମାମଲାରେ ବିବାଦୀୟ ହେବାପରେ ଗଣଶିକ୍ଷା ମନ୍ତ୍ରୀ ଥିବା ସମୀର ଦାସଙ୍କୁ ମନ୍ତ୍ରୀମଣ୍ଡଳରୁ ସେତେବେଳେ ବାଦ ଦିଆଯାଇଥିଲା |
ଏଥିସହିତ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟ ସମୀର ସମାଲୋଚନାର ଶିକାର ହୋଇଥିଲେ | ଏସବୁ କାରଣରୁ ଦଳର ସୁପ୍ରିମୋ ସମୀରଙ୍କ ଉପରେ ଖପ୍ପା ଥିବା ଚର୍ଚ୍ଚା ହେଉଥିଲା | ସେପଟେ ଟିକେଟ ବଣ୍ଟନ ପୂର୍ବରୁ ଦଳୀୟ ସର୍ଭେ ମଧ୍ୟ ସମୀର ଦାସଙ୍କ ସପକ୍ଷରେ ଆସିନଥିବା କୁହାଯାଉଛି | ସମୀର ବିବାଦୀୟ ହେବା ସହିତ ନିଜ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟତା ହରାଇ ସାରିଥିବା ଚର୍ଚ୍ଚା ହେଉଥିଲା | ତେଣୁ ନିମାପଡା ଭଳି ଆସନରୁ ସମୀରଙ୍କୁ ଟିକେଟ ଦେଇ ରିସ୍କ ନେବାକୁ ଚାହିଁନି ବିଜେଡି | କାରଣ ସମୀର ପ୍ରାର୍ଥୀ ହୋଇଥିଲେ ସମୀରଙ୍କ ଵିରୋଧରେ ଥିବା ଜନମତ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକଙ୍କ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଥିଲା | ତେଣୁ ସବୁ ଆଡକୁ ବିଚାର କରି ଦଳ ସମୀରଙ୍କ ଟିକେଟ କାଟିଥିବା କୁହାଯାଉଛି |
ସେପଟେ ସମୀରଙ୍କ ସ୍ଥାନରେ ବିଜେପିରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି | ଦିଲ୍ଲୀପ ୨୦୧୯ରେ କଂଗ୍ରେସ ଟିକେଟରେ ପ୍ରଥମ ଥର ଲଢ଼ି ପ୍ରାୟ ୩୪ ହଜାର ଭୋଟ୍ ପାଇ ତୃତୀୟରେ ରହିଥିଲେ। ଏହାପରେ ସେ ବିଜେପିରେ ମିଶିଥିଲେ, ହେଲେ ଚଳିତ ନିର୍ବାଚନରେ ବିଜେପି ପ୍ରଭାତୀ ପରିଡାଙ୍କୁ ପ୍ରାର୍ଥୀ କରିବାରୁ, ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡି ବିଜେଡିରେ ମିଶିଥିଲେ | ସେପଟେ ଦିଲ୍ଲୀପ ବିଜେଡି ପ୍ରାର୍ଥୀ ହେବାପରେ ଏବେ ନିମାପଡ଼ା ରାଜନୀତିରେ ସମୀର କେଉଁ ଭୂମିକା ନେଉଛନ୍ତି ତାହାରି ଉପରେ ସମସ୍ତଙ୍କ ନଜର ରହିଛି | ସମୀର ଦଳର ପ୍ରାର୍ଥୀ ଦିଲୀପଙ୍କୁ ସହଯୋଗ କରୁଛନ୍ତି ନା ତାଙ୍କ ବିରୋଧରେ ଯାଇ ଦଳକୁ ପାନେ ଦେଉଛନ୍ତି ଏବେ ତାହା ଦେଖିବାକୁ ବାକି ରହିଲା |