ମୋଦି ୩.୦; କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର, ଜୁଏଲ ଓ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ମୋଦିଙ୍କ ଶପଥପାଠ ପରେ ତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନି ବୈଷ୍ଣବ। ପୂର୍ବରୁ ମଧ୍ୟ ଏହି ୩ ଜଣ ବିଭିନ୍ନ ସମୟରେ ମୋଦି ସରକାରରେ ମନ୍ତ୍ରୀ ଭାବେ କାମ କରି ସାରିଛନ୍ତି।

ଜୁଏଲ ଓରାମ ମୋଦି ସରକାରର ପ୍ରଥମ ପାଳିରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା।

ଏଥର ସେ ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି। ତେଣୁ ମୋଦି ୩.୦ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଓଡ଼ିଶାର ସମ୍ବଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କ୍ରମାଗତ ତୃତୀୟ ଥର ପାଇଁ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

୨୦୧୪ରେ ସେ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟ ମିଳିଥିଲା। ୨୦୧୪ରେ ସେ ବିହାର ଓ ୨୦୧୯ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ। କିନ୍ତୁ ଏଥର ସେ ଓଡ଼ିଶାର ସମ୍ବଲପୁରରୁ ଲୋକସଭା ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି।

ସେହିପରି ଅଶ୍ୱିନୀ ବୈଷ୍ଣବ ୨୦୧୯ରେ ମୋଦି ୨.୦ ସରକାରରେ ରେଳ ସହ ଆଇଟି ବିଭାଗ ସମ୍ଭାଳିଥିଲେ। ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ଏଥର ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Related Posts