ଭୁବନେଶ୍ୱର,26/6(ସତ୍ୟପାଠ ବ୍ୟୁରୋ): ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ୧୮ଦଶ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍ ବିର୍ଲା। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି।
ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ। ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ.ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା। ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ। ତେଣୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ୱନିମତ ସଂଗ୍ରହ କରିଥିଲେ। ଏହାପରେ ବାଚନିକ ଭୋଟରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ।





