ଗାନ୍ଧୀ ଜୟନ୍ତୀରେ ବବିଙ୍କ ପାୱାର ସୋ’ କଣ ସନ୍ଦେଶ ଦେଉଛି?

ଭୁବନେଶ୍ୱର,୩/୧୦(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୪ ମାସ ଚୁପ ରହିବା ପରେ ଏକଦା ବିଜୁ ଜନତା ଦଳର ୨ ନମ୍ବର କୁହାଯାଉଥିବା ତଥା ଯାଜପୁର ଜିଲ୍ଲାରେ ଅଖଣ୍ଡ ପତିଆରା ରଖିଥିବା ପ୍ରଣବ ପ୍ରକାଶ ଦାସ ପୁଣି ମୈଦାନକୁ ଓହ୍ଲାଇଛନ୍ତି । ଗତ ବୁଧବାର ଦିନ ବବି ଦାସ ଶହ ଶହ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଯାଜପୁରରେ ନିଜର ପାୱାର ଶୋ’ କରିଛନ୍ତି । ଗତ ଜୁନ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ବବି ଦାସ ଏକପ୍ରକାର ରାଜନୈତିକ ମୈଦାନରୁ ଉଭାନ ହୋଇଯାଇଥିଲେ । ଆଉ ବବିଙ୍କ ଉଭାନ ହେବାକୁ ନେଇ ମିଡ଼ିଆ ଓ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଚାଲିଥିଲା । 

ନିଜ ଯାଜପୁର ଆସନ ଛାଡି ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବବି ଲଢ଼ିବାକୁ ନେଇ ମିଡ଼ିଆ ମଧ୍ୟ ଅନେକ ଚର୍ଚ୍ଚା କରୁଥିଲା । ଏପରିକି ନିର୍ବାଚନ ହାରିବା ପରେ ବବିଙ୍କର ବିଜେଡିର ଆଉ ସେଭଳି ଦବଦବା ନାହିଁ ବୋଲି କୁହାଯାଉଥିଲା । ହେଲେ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଯାଜପୁରରେ ବିଜେଡିର ଶହ ଶହ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ ବବି । ଆଉ ବବିଙ୍କ ଏହି ପାୱାର ସୋ କୁ ଦେଖିଲେ ଲାଗୁଥିଲା, ସତେ ଯେମିତି ଏହା ଏକ ନିର୍ବାଚନୀ ସଭା । ସବୁଠାରୁ ଗୁରୁତ୍ୱପୂର୍ଣ ହେଲା ଏ ସଭାରେ ବବି ଦେଇଥିବା ଭାଷଣ ଆଉ ଏଥିରେ ଥିବା କିଛି ଦମଦାର ଡାଇଲଗ । ଏ ଡାଇଲଗ ବବିଙ୍କର ରାଜନୈତିକ ପତିଆରା ଆଉ ବିଜୁ ଜନତା ଦଳରେ ବବିଙ୍କର ସ୍ଥିତିକୁ ନେଇ ଅନେକ କିଛି ସଂକେତ ଦେଉଛି । 

ବବିଙ୍କୁ ନେଇ ବିଜେଡି ଭିତରେ ଓ ବାହାରେ ଯେଉଁ ଚର୍ଚ୍ଚା ହେଉଥିଲା ସେନେଇ ଗତକାଲି ବିଜେଡି ଜନସଂପର୍କ ପଦଯାତ୍ରା ଆରମ୍ଭ ପାଇଁ ଆୟୋଜିତ ଯାଜପୁର ନିର୍ବାଚନ ମଣ୍ଡଳୀର କୁଆଶ ମଙ୍ଗଳା ପୀଠ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ବବି ନିଜ ଭାଷଣରେ ସ୍ପଷ୍ଟ କରି ଦେଇଛନ୍ତି । ବବି କହିଛନ୍ତି ଯେ, ନବୀନଙ୍କ ସହ ତାଙ୍କର ସମ୍ପର୍କ ଗୁରୁ ଶିଷ୍ୟ ଭଳି । ଦଳ ଭିତରେ ବା ବାହାରେ କାହାର ଦମ ନାହିଁ ତାଙ୍କୁ ନବୀନଙ୍କ ଠାରୁ ଦୁରେଇ ଦେବ ।

ବବି ଆହୁରି କହିଥିଲେ ଯେ, ମିଡ଼ିଆରେ ତାଙ୍କର TRP ଅଛି ସେଥିପାଇଁ ଗତ 4 ମାସ ହେଲା ମିଡ଼ିଆ ତାଙ୍କ ନାଁରେ ବିଭିନ୍ନ କାହାଣୀ କହୁଛି । ଏଥିରେ କିଛି ବି ସତ୍ୟତା ନାହିଁ ।

ସେହିପରି ବବି ସମ୍ବଲପୁର ଯାଇ ହାରିବା ଓ ତାଙ୍କ ମା ମଧ୍ୟ ନିର୍ବାଚନ ହାରିବା ପରେ ବବିଙ୍କ ରାଜନୈତିକ ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ଉଠାଯାଉଥିଲା । ଏହାକୁ ନେଇ ବବି କହିଥିଲେ ଯେ, ଯାଜପୁରର ବିକାଶ କରିବା ଯଦି ପାପ ତାହେଲେ ଏଭଳି ପାପ ମୁଁ ବାରମ୍ବାର କରିବି । 

ଯଦିଓ ନିର୍ବାଚନ ଏବେ ଅନେକ ଦିନ ବାକି ଅଛି କିନ୍ତୁ ଗାନ୍ଧୀଜୟନ୍ତୀ ମଞ୍ଚରେ ବବିଙ୍କ ଏହି ଭାଷଣକୁ ନେଇ ଏବେ ମିଡିଆରେ ଅନେକ କଥା ଚର୍ଚ୍ଚା ହେଉଛି । ଅନେକଙ୍କ ଆକଳନ ହେଉଛି ଯାଜପୁରର ବିଧାୟିକା ସୁଜାତା ସାହୁ ବୋଧହୁଏ ଇସ୍ତଫା ଦେବେ ଆଉ ବବି ତାଙ୍କ ସ୍ଥାନରେ ଉପନିର୍ବାଚନ ଲଢ଼ିବେ । ହେଲେ ନବୀନଙ୍କ ରାଜନୈତିକ ଗୋଟି ଚାଳନାକୁ ଯିଏ ପଢିଛି ସେ ଏହାକୁ କେବେ ବି ବିଶ୍ୱାସ କରିବ ନାହିଁ । ସେ ଯାହା ବି ହେଉ ନା କାହିଁକି ବିନା ନିର୍ବାଚନରେ ନିର୍ବାଚନୀ ସଭା ଭଳି ବବିଙ୍କ ପାୱାର ସୋ କୁ ନେଇ ତାଙ୍କ ସମର୍ଥକଙ୍କ କହିବା କଥା ଏବେ ବବି ଦାସ ରିଟର୍ଣ୍ଣସ ଏବଂ ବିଜେଡିର ବବିଙ୍କ ଦବଦବା ପୁଣି ଆରମ୍ଭ ହେବ ।

Related Posts