ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଜାତିସଂଘ । ୟୁକେ ସଂସଦରେ ୪୫ ମିନିଟ ଧରି ଚାଲିଲା ପହଲଗାମ ଆଲୋଚନା। ପହଲଗାମ ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରେସ୍ । ଆଜି ସକାଳେ ଏ ସମ୍ପର୍କରେ ଦୁଇ ଦେଶର ନେତାଙ୍କ ସହ କଥା ହୋଇଛନ୍ତି ଆଣ୍ଟୋନିଓ ଗୁଟେରେସ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍ ଏବଂ ଭାରତର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସେ ଫୋନ୍ ଯୋଗେ ଅଲଗା ଅଲଗା କଥା ହୋଇଛନ୍ତି ।
ଏନେଇ ଜାତିସଂଘ ପକ୍ଷରୁ ନ୍ୟୁୟର୍କରେ ସୂଚନା ଦିଆଯାଇଛି । ଗତ ଏପ୍ରିଲ ୨୨ରେ ହୋଇଥିବା ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ନ୍ୟାୟିକ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ଜାତିସଂଘ ମହାସଚିବ । ପରସ୍ପର ମୁହାଁମୁହିଁ ହେବାଠୁ ଦୂରେଇ ନରହିଲେ ସ୍ଥିତି ଜଟିଳ ହୋଇପାରେ ବୋଲି କହିଛନ୍ତି ଆଣ୍ଟୋନିଓ ଗୁଟେରେସ୍ । ଅନ୍ୟପଟେ ପହଲଗାମ ବର୍ବରକାଣ୍ଡ ନେଇ ଆଜି ବସୁଛି ବଡ଼ ବୈଠକ ।
ଦିନ ୧୧ଟାରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହା ସହ ଆଉ ଦୁଇଟି ବଡ଼ ବୈଠକ ହେବ । ସିସିପିଏ ଓ କ୍ୟାବିନେଟ୍ ବୈଠକ ମଧ୍ୟ ଆଜି ହେବ । ଏହା ପୂର୍ବରୁ ଗତକାଲି ମୋଦୀଙ୍କ ବାସଭବନରେ ବସିଥିବା ବୈଠକରେ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସ୍ଏ, ସିଡିଏସ୍ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନାକୁ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ କ୍ଷମତା ଦେବାର ଦେଖିବାକୁ ମିଳିଛି ।





