ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁରୀ ଆସିଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଓ ଭାଉଜ ଅର୍ପିତା ଗାଙ୍ଗୁଲି ଗତକାଲି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନ୍ୟ ଦୁଇ ପର୍ଯ୍ୟଟକଙ୍କ ସହିତ ସେମାନେ ଏକ ସ୍ପୀଡ୍ ବୋଟ୍‌ରେ ସମୁଦ୍ରରେ ଜଳକ୍ରୀଡ଼ା କରୁଥିବା ବେଳେ ତାହା ଓଲଟି ପଡ଼ିଥିଲା। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ ଗାର୍ଡଙ୍କ ଯୋଗୁ ସେମାନେ ସମସ୍ତେ ବଞ୍ଚି ଯାଇଥିଲେ। ଗତକାଲି ସନ୍ଧ୍ୟାରେ ବେଳେ ଲାଇଟ୍ ହାଉସ୍ ନିକଟ ହୋଟେଲ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଦୁର୍ଘଟଣା ଘଟିଥିଲା।

ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତା କହିଛନ୍ତି, ଗତକାଲି ଯେତେବେଳେ ଆମେ ଜଳକ୍ରୀଡ଼ା ପାଇଁ ବୋଟ୍‌ରେ ବସିଲୁ ସେତେବେଳେ ସମୁଦ୍ର ଅଶାନ୍ତ ଦେଖାଯାଉଥିଲା। ଉଚ୍ଚ ଉଚ୍ଚ ଜୁଆର ଆସୁଥିଲା। ପୁଣି ବୋଟ୍‌ର କ୍ଷମତା ୧୦ ଥିବା ବେଳେ ଟଙ୍କା ଲୋଭରେ ସେମାନେ (ବୋଟ୍ କର୍ମଚାରୀ) ମାତ୍ର ୪ ଜଣଙ୍କୁ ନେଇ ଯାଇଥିଲେ। ଜଳକ୍ରୀଡ଼ା ପାଇଁ ସମୁଦ୍ରକୁ ଯିବାରେ ତାହା ଗତକାଲି ଶେଷ ବୋଟ୍ ଥିଲା। ଅଶାନ୍ତ ସମୁଦ୍ରକୁ ଦେଖି ଆମେ (ଅର୍ପିତା ଓ ତାଙ୍କ ସ୍ୱାମୀ ସ୍ନେହାଶିଷ) କିଛି ଅସୁବିଧା ହେବ ନାହିଁ ତ ବୋଲି ମଧ୍ୟ ସ୍ପୀଡ୍‌ ବୋଟ୍‌ର କର୍ମଚାରୀଙ୍କୁ ପଚାରିଥିଲୁ। କିନ୍ତୁ ସେମାନେ ଆଶ୍ୱାସନା ଦେଇଥିଲେ ଯେ କିଛି ହେବ ନାହିଁ। କିନ୍ତୁ ଆମେ ଯାତ୍ରା କରିବାର ମାତ୍ର କିଛି ସମୟ ମଧ୍ୟରେ ଏକ ଉଚ୍ଚ ଜୁଆର ଆସିଥିଲା। ମୁଁ ଏତେ ଉଚ୍ଚ ଜୁଆର କେବେ ଦେଖି ନଥିଲି। ଉକ୍ତ ଜୁଆରରେ ବୋଟ୍‌ଟି ପୂରା ଓଲଟି ପଡ଼ିଥିଲା। ଅନ୍ୟମାନେ ବାହାରି ଯାଇଥିଲେ। କିନ୍ତୁ ମୁଁ ବୋଟ୍ ତଳେ ରହି ଯାଇଥିଲି। ଲାଇଫ ଗାର୍ଡଙ୍କ ଯୋଗୁ ମୋ ଜୀବନ ବଞ୍ଚିଗଲା। ଜଣେ ଲାଇଫ ଗାର୍ଡ ବୋଟ୍ ତଳେ ମୋ ଗୋଡ଼କୁ ଦେଖି ପାରିଥିଲେ ଓ ସଙ୍ଗେ ସଙ୍ଗେ ମୋତେ ଟାଣି ନେଇଥିଲେ। ସେ ସମୟର କଥା ଭାବି ଭାବି ଗତକାଲି ରାତିରେ ମୁଁ ଶୋଇପାରି ନଥିଲି।

ଅର୍ପିତା ଗାଙ୍ଗୁଲି କହିଛନ୍ତି, ଯଦି ବୋଟ୍‌ରେ କ୍ଷମତା ଅନୁଯାୟୀ ୧୦ ଜଣ ଲୋକ ବସିଥା’ନ୍ତେ, ହୁଏତ ତାହା ଉଚ୍ଚ ଜୁଆର ପ୍ରଭାବରେ ଓଲଟି ପଡ଼ି ନଥା’ନ୍ତା। କାରଣ ତା’ର ଓଜନ ଜୁଆର ମାଡ଼କୁ ସହି ଯାଇଥା’ନ୍ତା। କିନ୍ତୁ ମାତ୍ର ୩/୪ ଜଣ ଯାତ୍ରୀ ଥିବାରୁ ଓ ବୋଟ୍ ଅପେକ୍ଷାକୃତ ହାଲ୍‌କା ଥିବାରୁ, ତାହା ଓଲଟି ପଡ଼ିଥିଲା।

ଅର୍ପିତା କହିଛନ୍ତି ଯେ ସାଧାରଣତଃ ପୁରୀରେ ସମୁଦ୍ର ଅଶାନ୍ତ ରହିଥାଏ। ସେଥିପାଇଁ ଏଠାରେ ଜଳକ୍ରୀଡ଼ା ପାଇଁ ସରକାର ଅନୁମତି ଦେବା କଥା ନୁହେଁ। ଏହାକୁ ବ୍ୟାନ କରି ଦେବା କଥା। କୋଲକାତା ଫେରିଗଲା ପରେ ସେ ଏନେଇ ପୁରୀ ଏସ୍‌ପି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି।

ଏଠାରେ ପର୍ଯ୍ୟଟକଙ୍କୁ ସ୍ପୀଡ୍‌ବୋଟରେ ଜଳକ୍ରୀଡ଼ାର ମଜା ଦେଉଥିବା ସ୍କାଏ ରାଇଡର ନାମକ ସଂସ୍ଥା ଆବଶ୍ୟକ ସମସ୍ତ ଗାଇଡ୍‌ ଲାଇନକୁ ମାନୁ ନଥିବା ନେଇ ଅଭିଯୋଗ ହୋଇଛି। ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି ଯେ ପୁରୀ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହି ସଂସ୍ଥା ପର୍ଯ୍ୟଟକମାନଙ୍କୁ ଅତି ବିପଜ୍ଜନକ ଭାବେ ସମୁଦ୍ର ଭିତରକୁ ନେଇ ଜଳକ୍ରୀଡ଼ା କରାଉଛି। ପର୍ଯ୍ୟଟକଙ୍କ ଜୀବନ ସହିତ ଖେଳୁଥିବା ଏହି ସଂସ୍ଥାର ବ୍ୟବସାୟ ଉପରେ ଜିଲ୍ଲା ପ୍ରଶାସନ ରୋକ ଳଗାଇବା ଦରକାର ବୋଲି ଦାବି କରିଛନ୍ତି ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତା ଗାଙ୍ଗୁଲି।