ପରଲୋକରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଆଜି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ରାଜେନ୍ଦ୍ର ଢୋଲକିଆଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ରାଜେନ୍ଦ୍ର ନୂଆପଡ଼ା ବିଧାନସଭା ଆସନରୁ ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ହୋଇ ପୁଣି ନିର୍ବାଚିତ ହୋଇଥିଲେ। ୨୦୧୪ରେ ତାଙ୍କ ବିଜୟଧାରାରେ ବ୍ରେକ୍ ଲାଗିଥିଲା। ୨୦୧୪ରେ ରାଜେନ୍ଦ୍ର ଢୋଲକିଆଙ୍କୁ ପରାଜିତ କରି ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଅବଶ୍ୟ ପୁଣି ବିଜେଡି ଟିକେଟରେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ୨୦୨୪ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ନୂଆପଡ଼ାରେ ଶୋକର ଛାୟା ଖେଳିଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ବିଧାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିୟାଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ନବୀନ ଲେଖିଛନ୍ତି, ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

Related Posts