ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପରିବେଶବିତ୍‌ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି ପୁଲିସ୍‌। ରାଜ୍ୟ ମାନ୍ୟତା ଦାବିରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କୁ ୱାଙ୍ଗଚୁକ ନିଜ ଭାଷଣ ଜରିଆରେ ଉସକାଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ଯୋଗୁ ବିକ୍ଷୋଭକାରୀମାନେ ଉଗ୍ର ରୂପ ଧାରଣ କରି ବ୍ୟାପକ ପୋଡ଼ାଜଳା ଓ ହିଂସକାଣ୍ଡ ଘଟାଇଥିଲେ।

ଏହି ହିଂସାରେ ଅନେକ ପୁଲିସ୍‌ ଓ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେହିପରି ପୁଲିସ୍‌ର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୂରା ଲଦାଖରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏବେ ଏହି ହିଂସାକାଣ୍ଡକୁ ଉସକାଇବା ଅଭିଯୋଗରେ ୱାଙ୍ଗଚୁକ ଗିରଫ ହୋଇଛନ୍ତି। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଛି।

ଏହାର ଦିନକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ NGO ‘Students Educational and Cultural Movement of Ladakh’ (SECMOL) ର ପଞ୍ଜିକରଣକୁ ରଦ୍ଦ କରିଥିଲେ। ବିଦେଶୀରୁ ପାଣ୍ଠି ସଂଗ୍ରହ ଆଇନ ବଳରେ ଏହାର ଲାଇସେନ୍ସକୁ ବାତିଲ କରାଯାଇଥିଲା। ସେହିପରି ବିଦେଶୀରୁ ପାଣ୍ଠି ସଂଗ୍ରହରେ ବ୍ୟାପକ ହେରଫେର ଅଭିଯୋଗ ମଧ୍ୟ ୱାଙ୍ଗଚୁକଙ୍କ ବିରୋଧରେ ଆସିଛି। ଏହାର ତଦନ୍ତ ଏବେ ସିବିଆଇ ଆରମ୍ଭ କରିଛି।

ତେବେ ୨୦୧୮ରେ ରମଣ ମାଗସେସେ ସମ୍ମାନରେ ସମ୍ମାନୀତ ହୋଇଥିବା ୱାଙ୍ଗଚୁକଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ NGO ବିଦେଶୀ ପାଣ୍ଠିକୁ ଗ୍ରହଣ କରେନାହିଁ। କିନ୍ତୁ ମିଳିତ ଜାତିସଂଘ, ସ୍ୱିସ ଓ ଇଟାଲୀୟ ସଂଗଠନ ସହ ସଂସ୍ଥାର ବ୍ୟବସାୟିକ ନେଣଦେଣ ରହିଛି ଓ ଏଥିପାଇଁ ସମସ୍ତ ଟିକସ ପୈଠକ କରାଯାଇଛି ବୋଲି ସେ କହିଥିଲେ।

ଲେହ ଆପେକ୍ସ ବଡି(ଏଲଏବି) ଦୀର୍ଘ ଦିନ ହେଲା ଲଦାଖକୁ ରାଜ୍ୟ ମାନ୍ୟତା ଦେବାକୁ ଦାବି କରି ଚାଲିଛି। ଏହି ଦାବିକୁ ଆହୁରି ଶାଣିତ କରିବା ପାଇଁ ବୁଧବାର ଏଲଏବିର ଯୁବ ସଂଗଠନ ଲେହରେ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରିଥିଲା। ସଂଗଠନ ପକ୍ଷରୁ ବନ୍ଦ ଡାକରା ବି ଦିଆଯାଇଥିଲା। କିନ୍ତୁ ଏହି ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।

ପରିବେଶବିତ ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ସେପ୍ଟେମ୍ବର ୧୦ରୁ ୧୫ ଜଣ ଲଦାଖ ପାଇଁ ଆମରଣ ଅନଶନ କରୁଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ମଧ୍ୟ ୱାଙ୍ଗଚୁକ ନିଜର ୧୫ ଦିନିଆ ଅନଶନ ଭାଙ୍ଗିଥିଲେ। ଏହାପରେ ବୁଧବାର ବନ୍ଦ ଡାକରା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବିକ୍ଷୋଭ ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ୱାଙ୍ଗଚୁକ କହିଥିଲେ ହେଁ କିଛି ଯୁବକ ପଥର ମାଡ଼ କରିଥିଲେ। ଏଥିଯୋଗୁ ପୁଲିସ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ବିକ୍ଷୋଭକାରୀ ଲେହରେ ଥିବା ବିଜେପି ଅଫିସରେ ଭଙ୍ଗାରୁଜା କରି ସେଠାରେ ନିଆଁ ଲଗାଇ ଦେଇଥିଲେ। ଅଫିସ ବାହାରେ ଥିବା ଗୋଟିଏ ପୁଲିସ୍‌ ଗାଡ଼ିକୁ ମଧ୍ୟ ସେମାନେ ଜାଳି ଦେଇଛନ୍ତି।