ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ ର ବିଶେଷ ପ୍ରଭାବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି । ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଆହୁରି କହିଛନ୍ତି, ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଆଗକୁ ୩ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ତାର ୬ ଘଣ୍ଟା ପରେ ଏହା ଅବପାତରେ ପରିଣତ ହେବ ।
ରାଜ୍ୟରେ ବିଶେଷ ପ୍ରଭାବ ନାହିଁ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନର ଗତି ୪୫-୫୫ କିମି ପ୍ରତି ଘଣ୍ଟା ଓ ଝଟକା ପବନର ବେଗ ୬୫ କିଲୋମିଟର ପ୍ରତି ଘଣ୍ଟା ରହିବ। ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ୩୫-୪୫ କିମି ପ୍ରତି ଘଣ୍ଟା ପବନର ବେଗ ରହିବ ଓ ଝଟକା ପବନ ୫୫ କିମି ପ୍ରତିଘଣ୍ଟା ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ସନ୍ଧ୍ୟା ୭ ରୁ ରାତି ୧ ପର୍ଯ୍ୟନ୍ତ ଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।





