ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶର ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଲୋକସଭା ଆସନ ସଂଖ୍ୟାକୁ ୫୪୩ରୁ ୮୫୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଅଣାଯାଉଛି। ଆସନ୍ତା ଏପ୍ରିଲ ୧୬ ଓ ୧୭ ତାରିଖରେ ବସୁଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରାଯିବ।

➡️ସୀମା ନିର୍ଦ୍ଧାରଣ ପାଇଁ ହଟିବ ୨୦୨୬ କଟକଣା

ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ, ୨୦୨୬ ପରବର୍ତ୍ତୀ ଜନଗଣନା ରିପୋର୍ଟ ଆସିବା ପୂର୍ବରୁ ସୀମା ନିର୍ଦ୍ଧାରଣ (Delimitation) ହୋଇପାରିବ ନାହିଁ। କିନ୍ତୁ ପ୍ରସ୍ତାବିତ ବିଲ୍‌ରେ ଅନୁଚ୍ଛେଦ ୮୨ର ସଂଶେଧନ କରି ଏହି ବାଧ୍ୟତାମୂଳକ ନିୟମକୁ ହଟାଇବାକୁ ପ୍ରସ୍ତାବ ଦିଆଯାଇଛି। ଫଳରେ ୨୦୨୬-୨୭ ଜନଗଣନା ପୂର୍ବରୁ ହିଁ ନୂତନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରାଯାଇପାରିବ।

➡️କେଉଁଠି କେତେ ଆସନ?

ନୂଆ ପ୍ରସ୍ତାବ ଅନୁଯାୟୀ ଅନୁଚ୍ଛେଦ ୮୧ରେ ପରିବର୍ତ୍ତନ କରାଯାଇ ଲୋକସଭାର ସଦସ୍ୟ ସଂଖ୍ୟା ନିମ୍ନମତେ ସ୍ଥିର କରାଯାଇଛି:
• ରାଜ୍ୟଗୁଡ଼ିକ ପାଇଁ: ସର୍ବାଧିକ ୮୧୫ ସଦସ୍ୟ।
• କେନ୍ଦ୍ରଶାସିତ ଅଞ୍ଚଳ ପାଇଁ: ସର୍ବାଧିକ ୩୫ ସଦସ୍ୟ
•ସର୍ବମୋଟ: ୮୫୦ ଆସନ

➡️ତୁରନ୍ତ ଲାଗୁ ହେବ ମହିଳା ସଂରକ୍ଷଣ

ଏହି ବିଲ୍‌ର ସବୁଠାରୁ ବଡ଼ ଦିଗ ହେଉଛି ମହିଳା ସଂରକ୍ଷଣ। ୨୦୨୩ରେ ପାରିତ ହୋଇଥିବା ୧୦୬ତମ ସମ୍ବିଧାନ ସଂଶେଧନ ଅନୁଯାୟୀ, ଜନଗଣନା ଓ ସୀମା ନିର୍ଦ୍ଧାରଣ ପରେ ହିଁ ମହିଳା ସଂରକ୍ଷଣ ଲାଗୁ ହେବାର ପ୍ରାବଧାନ ଥିଲା। କିନ୍ତୁ ବର୍ତ୍ତମାନର ବିଲ୍ ମାଧ୍ୟମରେ ଅନୁଚ୍ଛେଦ ୩୩୪-Aକୁ ସଂଶେଧନ କରାଯାଇ ସୀମା ନିର୍ଦ୍ଧାରଣ ଶେଷ ହେବା ମାତ୍ରେ ତୁରନ୍ତ ୩୩% ମହିଳା ସଂରକ୍ଷଣ ଲାଗୁ କରିବାକୁ ବାଟ ଫିଟାଯାଇଛି। ଏହାଦ୍ୱାରା ଆସନ୍ତା ସାଧାରଣ ନିର୍ବାଚନରେ ହିଁ ମହିଳାମାନେ ଏହି ସୁବିଧା ପାଇବାର ସମ୍ଭାବନା ସୃଷ୍ଟି ହୋଇଛି।

➡️ଗଠନ ହେବ ସୀମା ନିର୍ଦ୍ଧାରଣ କମିଶନ

•ଅଧ୍ୟକ୍ଷତା: ସୁପ୍ରିମକୋର୍ଟର ଜଣେ ବର୍ତ୍ତମାନର କିମ୍ବା ଅବସରପ୍ରାପ୍ତ ବିଚାରପତି ଏହାର ମୁଖ୍ୟ ରହିବେ।

•ସଦସ୍ୟ: ମୁଖ୍ୟ ନିର୍ବାଚନ କମିଶନର ଏବଂ ସଂପୃକ୍ତ ରାଜ୍ୟର ନିର୍ବାଚନ କମିଶନର ସଦସ୍ୟ ରହିବେ।

• ସହଯୋଗୀ: ପ୍ରତି ରାଜ୍ୟରୁ ୫ ଜଣ ସାଂସଦ ଏବଂ ୫ ଜଣ ବିଧାୟକ ସହଯୋଗୀ ସଦସ୍ୟ ଭାବେ କାର୍ଯ୍ୟ କରିବେ (ମାତ୍ର ସେମାନଙ୍କର ଭୋଟ ଦେବା ଅଧିକାର ରହିବ ନାହିଁ)।

➡️କମିଶନଙ୍କ ପ୍ରମୁଖ କାର୍ଯ୍ୟ:
୧. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲୋକସଭା ଆସନ ସ୍ଥିର କରିବା।
୨. ବିଧାନସଭା ଆସନ ସଂଖ୍ୟା ନିର୍ଦ୍ଧାରଣ କରିବା।
୩. SC ଏବଂ ST ବର୍ଗ ପାଇଁ ସଂରକ୍ଷିତ ଆସନ ସୀମା ନିର୍ଦ୍ଧାରଣ କରିବା।
୪. ମହିଳାମାନଙ୍କ ପାଇଁ ୧/୩ ଆସନ ସଂରକ୍ଷଣ ଓ ତାହାର ‘ରୋଟେସନ’ ବ୍ୟବସ୍ଥା ତଦାରଖ କରିବା।

କମିଶନଙ୍କ ନିଷ୍ପତ୍ତି ଥରେ ଗେଜେଟ୍‌ରେ ପ୍ରକାଶ ପାଇବା ପରେ ତାହା ଆଇନରେ ପରିଣତ ହେବ। ଏହାକୁ କୌଣସି ଅଦାଲତରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ।

୧୯୭୧ ଜନଗଣନା ଆଧାରରେ ଚାଲିଥିବା ବର୍ତ୍ତମାନର ଆସନ ବ୍ୟବସ୍ଥାକୁ ବଦଳାଇ ଦେଶର ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର।