ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଟିଏମ୍‌ସି ବିଧାୟକଙ୍କ ଘରେ ଆୟକର ଚଢ଼ଉ ହୋଇଥିବାର ସୂଚନା ମିଳିଛି । ତେବେ ଦେବାଶିଷ ଦକ୍ଷିଣ କୋଲକାତାର ରାସବିହାରୀ ନିର୍ବାଚନ ମଣ୍ଡଳୀରୁ ଏଥର ପୁଣି ଥରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେପଟେ ଅଧିକାରୀମାନେ କହିଛନ୍ତି ଯେ, ସକାଳ ପ୍ରାୟ ୬ଟା ସମୟରେ କୁମାରଙ୍କ ମନୋହରପୁକୁର ରୋଡରେ ଥିବା ବାସଭବନ ଏବଂ ତାଙ୍କ ନିର୍ବାଚନ କାର୍ଯ୍ୟାଳୟରେ ଏକକାଳୀନ ତଲାସି ଆରମ୍ଭ ହୋଇଥିଲା। ତଲାସିର କାରଣ ତୁରନ୍ତ ପ୍ରକାଶ କରାଯାଇ ନାହିଁ। ଜମି ଦୁର୍ନୀତି ମାମଲାରେ କୁମାରଙ୍କୁ ବହୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରାଯିବା ପରେ ଆୟକର ଚଢ଼ଉ ହୋଇଛି। ସେ ଇଡିର ସଲ୍ଟ ଲେକ୍‌ କାର୍ଯ୍ୟାଳୟରେ ଏପ୍ରିଲ ୧, ୩ ଓ ୯ ତାରିଖରେ ହାଜର ହୋଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ଏଜେନ୍ସି କୁମାର ଏବଂ ବ୍ୟବସାୟୀ ଅମିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ସମ୍ଭାବ୍ୟ ଆର୍ଥିକ କାରବାର ଯାଞ୍ଚ କରୁଛି। ରାସବିହାରୀ ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ। ବିଜେପି ପକ୍ଷରୁ ଏଠାରେ କୁମାରଙ୍କ ବିରୋଧରେ ସ୍ବପନ ଦାସଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଛି। ଆୟକର ଚଢ଼ଉ ପରେ କୁମାରଙ୍କ ବାସଭବନ ଆଗରେ ଉତ୍ତେଜନା ପ୍ରକାଶ ପାଇଛି।