ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଇତିହାସ ସାକ୍ଷୀ ଅଛି। ଓଡ଼ିଶା ଲଗାତର ଭାବେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସୁଛି। ଏବେ ଡିଲିମିଟେସନ ବିଲ୍ ମାଧ୍ୟମରେ ଓଡ଼ିଶାର ରାଜନୈତିକ ପରିଚୟ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ ପଡ଼ିଛି। ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କମିଯାଉଥିବା ଆଶଙ୍କା ଉପୁଜିଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ବିଧାନସଭାର ଏକ ବିଶେଷ ଅଧିବେଶନ ଡାକି, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଥିଲି। କିନ୍ତୁ ଏବେ ଲାଗୁଛି ରାଜ୍ୟ ବିଜେପି ସରକାର ଏହିଭଳି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିବାକୁ ପସନ୍ଦ କରୁଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟ ବିଜେପି ସରକାର ଓଡ଼ିଆ କି ଓଡ଼ିଶାର ସ୍ୱାର୍ଥ ନୁହେଁ ବରଂ ବିଜେପିର ସ୍ୱାର୍ଥ ପୂରଣ ପାଇଁ ଗୁରୁତ୍ୱ ଦେଉଛି। ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି। ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରି ଆହୁରି କହିଥିଲେ, ଆଉ ଏକ ଚିଠି ମାଧ୍ୟମରେ ମୁଁ ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ସାଂସଦମାନଙ୍କୁ ଅବଗତ କରିବା ସହିତ ରାଜ୍ୟର ହିତ ଦୃଷ୍ଟିରୁ ଦଳଗତ ରାଜନୀତିରୁ ଊଦ୍ଧ୍ୱର୍ରେ ରହି, ଏ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛି। ବିଜୁ ବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ ଥିଲେ। ଆଜି ତାଙ୍କ ତିରୋଧାନ ଦିବସରେ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ଆମର ସମ୍ମିଳିତ ଉଦ୍ୟମ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀରୁ ଥାଇ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ, ଦେଶରେ ମହିଳା ମାନଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ସେମାନଙ୍କୁ ସାମ୍ୱିଧାନିକ ପଦରେ ସ୍ଥାପିତ କରିବା ପାଇଁ ୯୦ ଦଶକରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପଦକ୍ଷେପ ନେଇଥିଲେ। ସଂଯୋଗ ବଶତଃ ବିଜୁ ବାବୁଙ୍କ ତିରୋଧାନ ଦିବସରେ ସଂସଦରେ ମହିଳା ସରଂକ୍ଷଣ ବିଲ୍ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଉଛି। ତେଣୁ ବିଜୁ ଜନତା ଦଳ ମହିଳା ସରଂକ୍ଷଣ ବିଲକୁ ସମର୍ଥନ କରୁଛି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।