ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ମୁଖପାତ୍ର ପୱନ ଖେରାଙ୍କୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଏହା ମଧ୍ୟରେ କଂଗ୍ରେସ ରାଜ୍ୟସଭା ସାଂସଦ ଏବଂ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କୁ ସୁରକ୍ଷା ଦେବା ପାଇଁ ଦଳ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ଦଳ ବିଶ୍ୱାସ ପ୍ରକାଶ କରିଛି, ତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହେବ ବୋଲି କହିଛନ୍ତି । ଏହା ସହ ସମଗ୍ର ଭାରତୀୟ ଜାତୀୟ କଂଗ୍ରେସ ଏହାର ଗଣମାଧ୍ୟମ ତଥା ପ୍ରଚାର ବିଭାଗର ଅଧ୍ୟକ୍ଷ ତାଙ୍କ ପଛରେ ଦୃଢ଼ ଭାବରେ ଏକଜୁଟ ହୋଇଛନ୍ତି। ଗୁଆହାଟୀ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାର ପ୍ରକ୍ରିୟା ଚାଲିଛି। ଆମେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ ଯେ ଧମକ, ଭୟ ଏବଂ ଉତ୍ପୀଡ଼ନର ରାଜନୀତିରେ ନ୍ୟାୟର ଜୟ ହେବ ବୋଲି ଜୟରାମ କହିଛନ୍ତି। ସେପଟେ ଠକାମି ତଥା ଅପରାଧିକ ଷଡଯନ୍ତ୍ର ବିଭାଗ ଅନ୍ତର୍ଗତ ଗୁଆହାଟୀ କ୍ରାଇମ ବ୍ରାଞ୍ଚ ପୁଲିସ ଷ୍ଟେସନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପତ୍ନୀ ରିଙ୍କି ଭୁୟାଁ ଶର୍ମାଙ୍କ ଦ୍ବାରା ପୱନ ଖେରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ୯ ଏପ୍ରିଲରେ ମତଦାନର କିଛି ଦିନ ପୂର୍ବରୁ ଗୁଆହାଟିରେ ପୱନ ଖେରା ଦାବି କରିଥିଲେ, ରିଙ୍କିଙ୍କ ପାଖରେ ତିନୋଟି ବିଦେଶୀ ପାସପୋର୍ଟ ରହିଛି। ତେବେ ରିଙ୍କି ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ। ସେବେଠାରୁ, ଗୁଆହାଟୀ ପୁଲିସ କଂଗ୍ରେସ ନେତାଙ୍କୁ ଖୋଜୁଛି। ସୁପ୍ରିମକୋର୍ଟରୁ ଝଟକା ପାଇବା ପରେ,ଖେରା ତାଙ୍କ ଆଗୁଆ ଜାମିନ ପାଇଁ ଗୁଆହାଟି ହାଇକୋର୍ଟରେ ଏକ ଆବେଦନ କରିଥିଲେ, ଯାହାକୁ ଶୁକ୍ରବାର ଖାରଜ କରିଦିଆଯାଇଥିଲା ।