ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ରାଜନୀତିକୁ ନେଇ ଚର୍ଚ୍ଚା ଅଧୀନରେ ଲାଗିଛି । ତେବେ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଛାଡି ନିଜ ରାଜନୈତିକ ଦଳ ଗଠନ କଲେ ଝିଅ କବିତା । ଏହା ସହ ସେ ତାଙ୍କ ଦଳର ନାମ ‘ତେଲେଙ୍ଗାନା ରାଷ୍ଟ୍ର ସେନା’(ଟିଆର୍‌ଏସ୍) ରଖିଛନ୍ତି। କେ. କବିତା ଦଳର ନାମ ଘୋଷଣା କରି ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି,ତୁମର ସମୟ ସରିଗଲା, ଏବେ ଆମର ସମୟ । ଏଭଳି କହି ସେ ରଣ ହୁଙ୍କାର ଦେଇଛନ୍ତି। ସୋସିଆଲ ମିଡିଆ ଏକ୍ସର ଏକ ପୋଷ୍ଟରେ କେ. କବିତା ମଧ୍ୟ ଲେଖିଛନ୍ତି, ଯାହା ହେଉନା କାହିଁକି, ଆମେ ପଛକୁ ହଟିବୁ ନାହିଁ। ଏବେ ତେଲେଙ୍ଗାନାର ଲୋକଙ୍କୁ ସେମାନଙ୍କ ନିଜ ମତାମତ ଦେବାର ସମୟ ଆସିଛି। ଆମେ ଆମର ଆକାଂକ୍ଷା ମରିବାକୁ ଦେବୁ ନାହିଁ। ଯଦି ତୁମେ ଆମ ରାସ୍ତାରେ ଠିଆ ହୁଅ, ତେବେ ତୁମେ ପାଉଁଶ ହୋଇଯିବ ବୋଲି କହିଛନ୍ତି। ଏହା ସହ କବିତା କହିଥିଲେ ଯେ ତାଙ୍କୁ ଏବଂ ତାଙ୍କ ସମର୍ଥକମାନଙ୍କୁ ବିଆର୍‌ଏସ୍‌ରୁ ବହିଷ୍କାର କରାଯାଇଥିଲା ଏବଂ ସେମାନେ ସ୍ୱେଚ୍ଛାକୃତ ଭାବରେ ଦଳ ଛାଡି ନଥିଲେ। ସେ କହିଥିଲେ, ବିଆର୍‌ଏସ୍‌ ତେଲେଙ୍ଗାନାର ଆଞ୍ଚଳିକ ଆକାଂକ୍ଷା ପୂରଣ କରିବା ପାଇଁ ଗଠିତ ହୋଇଥିଲା, କିନ୍ତୁ ସେମାନେ ଏହାର ନାମ, କାର୍ଯ୍ୟ ଏବଂ ଦଳର ମୂଳ ଆତ୍ମାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ଜନସାଧାରଣଙ୍କ ସହିତ ଦଳର ସମ୍ପର୍କ ଏବେ ଛିନ୍ନ ହୋଇଯାଇଛି। ମୋ ବାପା ଯେଉଁ ବିଆର୍‌ଏସ୍‌ ଦଳରେ ସଭାପତି, ସେ ଆମକୁ ବହିଷ୍କାର କରିଛନ୍ତି। ଆମେ ତାଙ୍କୁ, ପରିବାରକୁ କିମ୍ବା ଦଳକୁ ପରିତ୍ୟାଗ କରିନାହୁଁ। ଆମକୁ ତଡ଼ା ଯାଇଛି। କବିତା କହିଛନ୍ତି, ମୁଁ ତେଲେଙ୍ଗାନାର ଝିଅ। ମୋ ରକ୍ତରେ ତେଲେଙ୍ଗାନା ଅଛି, ରହିଛି ତେଲେଙ୍ଗାନାର ଆତ୍ମା। ଆମେ ବେଶ୍ ସୁଦୃଢ଼ ଭାବେ ଆମର ଲକ୍ଷ୍ୟ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ। ଆମେ ଆମ ଜୀବନର ୨୦ ବର୍ଷ ତେଲେଙ୍ଗାନା ଆନ୍ଦୋଳନରେ ବିତାଇଛୁ। ତେଲେଙ୍ଗାନାର ବିକାଶ ପାଇଁ, ରାଜ୍ୟର ଆକାଂକ୍ଷା ପୂରଣ କରିବା ପାଇଁ, ଆମର ପୁରୁଣା ଦଳ ଆମ ସହିତ ଥାଉ କି ନଥାଉ, ଆମର ପରିବାର ଆମ ସହିତ ଥାଉ କି ନଥାଉ, ମୁଁ ବିଶ୍ୱାସ କରେ ତେଲେଙ୍ଗାନାର ଲୋକମାନେ ମୋର ପରିବାର ବୋଲି କହୁଥିବାର ଦେଖିବାକୁ ମିଳିଛି ।