ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆପ ଛାଡି ବିଜେପିରେ ମିଶିବା ପରେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ସାଂସଦ ହରଭଜନ ସିଂଙ୍କ ଅଡ଼ୁଆ ବଢିବାରେ ଲାଗିଛି । ତେବେ ନିକଟରେ ହରଭଜନ ସିଂଙ୍କ ସମେତ ‘ଆପ୍’ର ୭ ଜଣ ଏମ୍ପି ଭାଜପାରେ ଯୋଗ ଦେଇଛନ୍ତି। ଏହା ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ପାର୍ଟି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଏହି ଦଳ ବଦଳ ପରେ ’ଆପ’ କର୍ମୀମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୁଧିଆନା ଏବଂ ଜାଲନ୍ଧରରେ ଆମ ଆଦମୀ ପାର୍ଟିର କର୍ମୀମାନେ ହରଭଜନ ସିଂ, ଅଶୋକ ମିତ୍ତଲ ଏବଂ ରାଜିନ୍ଦର ଗୁପ୍ତାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ସାଂସଦମାନଙ୍କ ଘର କାନ୍ଥରେ ସ୍ପ୍ରେ ପେଣ୍ଟରେ ’ଗଦ୍ଦାର’(ବିଶ୍ୱାସଘାତକ) ବୋଲି ଲେଖିବା ସହ ‘ପଞ୍ଜାବର ଗଦ୍ଦାର’ ସ୍ଲୋଗାନ ଦେଇଥିଲେ। ହରଭଜନଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯାଇଛି, ଯାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
