ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜିତୁ ମୁଣ୍ଡାଙ୍କୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଜିତୁଙ୍କୁ ସାହାଯ୍ୟ କରିଛନ୍ତି ଫିଜିକ୍ସ ୱାଲାହ ଏବଂ ବିଦ୍ୟାପୀଠର ସିଇଓ ଅଲଖ ପାଣ୍ଡେ। ସେ ଅନଲାଇନ ମାଧ୍ୟମରେ ଜିତୁଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିଭଳି ବ୍ୟାଙ୍କୁ ଜିତୁ ମୁଣ୍ଡାଙ୍କୁ କଂଗ୍ରେସର ଦୁଇ ପୂର୍ବତନ ପିସିସି ସଭାପତି ମଧ୍ୟ ୨୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧା ସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଯାହାପରେ ଏକ ବ୍ୟାଙ୍କରେ ଉପୁଜିଥିଲା ଏକ ଛାତିଥରା ଦୃଶ୍ୟ। ତେବେ ଏହା ପରେ ମାମଲା ପ୍ରଶାସନିକ ସ୍ତରରେ ଜୋର ଧରିଥିଲା। ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ହସ୍ତକ୍ଷେପ କରିବା ସହ ଜିତୁଙ୍କୁ ତାଙ୍କ ଟଙ୍କା ଫେରସ୍ତ ହୋଇଥିଲା। ଏମିତିକି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ତଦନ୍ତ ହୋଇଛି। ଯେଉଁଥିରେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ବୋଲି ସୂଚନା ମିଳିଛି ।
