ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ପବନ ଖେରାଙ୍କୁ ବଡ ଆଶ୍ୱସ୍ତି । ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ବିରୋଧରେ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟରୁ ମିଳିଲା ଆଗୁଆ ଜାମିନ । କୋର୍ଟ ତାଙ୍କୁ ଆଗୁଆ ଜାମି ପ୍ରଦାନ କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି, ଯେପରିକି ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ ଅଦାଲତର ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ। ସେପଟେ ଶୁଣାଣି ସମୟରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଖେଡ଼ାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ, ଏହା ଏକ ମାନହାନି ମାମଲା ଏବଂ ଏଥିପାଇଁ ଗିରଫ କରିବା କିମ୍ଵା ହେପାଜତକୁ ନେଇ ପଚରାଉଚରା କରିବାର କୌଣସି ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ, ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖେଡ଼ାଙ୍କୁ ହେପାଜତକୁ ନେବା ପାଇଁ ଯୁକ୍ତି ବାଢ଼ିଛନ୍ତି।

ସେ କହିଥିଲେ, ଖେଡ଼ା ଯେଉଁ ସବୁ ଫଟୋ ଓ ଦସ୍ତାବିଜ ବ୍ୟବହାର କରିଛନ୍ତି, ତାହାର ଉତ୍ସ ଜାଣିବା ପାଇଁ ପଚରାଉଚରା ଜରୁରୀ। ସେ ଏହା ମଧ୍ୟ ସଙ୍କେତ ଦେଇଥିଲେ ଯେ ନିର୍ବାଚନ ସମୟରେ ଏଭଳି ଘଟଣା ପଛରେ କିଛି ବୈଦେଶିକ ଶକ୍ତିର ହାତ ଥାଇପାରେ, କିନ୍ତୁ ସର୍ବୋଚ୍ଚ ଅଦାଲତ ଗିରଫଦାରୀର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ଖେଡ଼ାଙ୍କୁ ଜାମିନ ପ୍ରଦାନ କରିଛନ୍ତି।