ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ମିଳିଲା ବିସ୍ଫୋରକ ସାମଗ୍ରୀ। ତେବେ ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଏକ ବଡ଼ ଧରଣର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ଉପକଣ୍ଠରେ ପ୍ରଧାନମନ୍ତ୍ରୀଙ୍କ ସଭା ସ୍ଥଳଠାରୁ ମାତ୍ର ୩ କିଲୋମିଟର ଦୂରରେ ଦୁଇଟି ଜେଲାଟିନ୍ ଷ୍ଟିକ୍ (gelatine sticks) ମିଳିଛି। ସୁରକ୍ଷା ଯାଞ୍ଚ ସମୟରେ ଫୁଟପାଥ୍ କଡ଼ରୁ ଏହି ବିସ୍ଫୋରକଗୁଡ଼ିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏନେଇ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ ରେଞ୍ଜର ଡିଆଇଜି ସୂଚନା ଦେଇ କହିଛନ୍ତି ରବିବାର ସକାଳେ ଯାଞ୍ଚ ବେଳେ ଏହି ବିସ୍ଫୋରକ ମିଳିଥିଲା।

ଏହି ଘଟଣାରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ତଦନ୍ତ ଜାରି ରହିଛି। ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ସହରଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣର ସୂଚନା ପୂର୍ବରୁ ମିଳିଥିଲା। ଏହି ଘଟଣା ପରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବଂ ସନ୍ଦେହଜନକ ବସ୍ତୁ ଉପରେ କଡ଼ା ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି।