ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଦ୍ୱାରା ଚିହ୍ନଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଟିମ୍ ଆମର ପୂରା ଆକ୍ଟିଭ୍ ଅଛି । କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ନିଶ୍ଚିତ ସୌମ୍ୟଙ୍କ ମା’ ନ୍ୟାୟ ପାଇବେ । କ୍ରାଇମବ୍ରାଞ୍ଚ SPଙ୍କ ନତୃତ୍ୱରେ ଏବଂ DIG ଙ୍କ ତତ୍ୱାବଧାନରେ ମାମଲାକୁ ଅନୁଧ୍ୟାନ କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ସେପଟେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ଅନେକ ଗୁଡ଼ିଏ ପ୍ରଶ୍ନ ଏବେବି ଅସମାହିତ ହୋଇ ରହିଛି । ସୌମ୍ୟଙ୍କର ମୃତ୍ୟୁ କେଉଁଠାରେ ହୋଇଥିଲା ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଜଣାପଡିଥିଲା ଯେ ସୌମ୍ୟ ହସ୍ପିଟାଲ ପହଞ୍ଚିବା ବେଳକୁ ତାଙ୍କର ପଲ୍ସ୍, ବିପି ନଥିଲା ।
ପ୍ରଥମେ ନଜର ପକାଇବା ସେହି ପ୍ରଶ୍ନରେ ସୌମ୍ୟଙ୍କ ମୃତ୍ୟୁ କେଉଁଠି ହୋଇଥିଲା । ଭିଡ଼ ଆକ୍ରମଣ ସ୍ଥଳରେ ନା ପୋଲିସ ଆଣିବା ବେଳେ ନା ହସ୍ପିଟାଲରେ ପହଞ୍ଚିବା ପରେ । ସେଦିନ ସୌମ୍ୟଙ୍କୁ ଅକଥନୀୟ ମାଡ଼ ମରାଯିବା ଏବଂ ପରେ ତାଙ୍କୁ ପୋଲିସ ଉଦ୍ଧାର କରି ଆଣିବା ପରେ କ’ଣ ଘଟିଥିଲା । ସୌମ୍ୟଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲ ଅଣାଯାଇନଥିଲା ବରଂ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।
