ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପରିଚୟ ବଦଳାଇ ବଲିଉଡ୍‌ର ଫିଲ୍ମରେ ଅଭିନୟ କରୁଥିଲେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଜଣେ ଅଭିଯୁକ୍ତ । ତେବେ ସିନେମା ଜଗତର ଚମକପ୍ରଦ ଦୁନିଆରେ ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଶେଷରେ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଏହି ଅଭିଯୁକ୍ତ ଜଣକ ୨୦୧୪ରୁ ପାରୋଲ୍‌ରେ ଆସି ଫେରାର ହୋଇଯାଇଥିଲା।

ଏହାପରେ ନିଜ ନାମ ବଦଳାଇ ସେ ବଲିଉଡ୍‌ର ବଡ଼ ବଡ଼ ପ୍ରଡକ୍ସନ ହାଉସ୍‌ର ଫିଲ୍ମରେ ସହ-ଅଭିନେତା ଭାବେ କାମ କରୁଥିଲା। ୧୨ ବର୍ଷ ପରେ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସେହି ଫେରାର କଏଦୀଙ୍କୁୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ମୋଦି। ଗତ ବୁଧବାର ଅପରାହ୍ନ ପ୍ରାୟ ୧ଟା ବେଳେ ଅହମ୍ମଦାବାଦର ଘି-କାଣ୍ଟା ମେଟ୍ରୋ ଷ୍ଟେଶନ ନିକଟରୁ ତାଙ୍କୁୁ କାବୁ କରାଯାଇଥିଲା। ସେପଟେ ଅହମ୍ମଦାବାଦର ଏକ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଶିଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା।

୨୦୦୫ ଜୁନ୍‌ ୧୫ରେ ହେମନ୍ତ, ତାଙ୍କ ଭାଇ ଏବଂ ଗୋଷ୍ଠୀ ଅଭିଯୋଗକାରୀ ଅଜୟ ପଟେଲ ଓ ତାଙ୍କ ବନ୍ଧୁ ନରେନ୍ଦ୍ର କାମ୍ବଲେଙ୍କ ସହ ମାରପିଟ ହୋଇଥିଲା। ଏଥିରେ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହେମନ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା, ଦଙ୍ଗା ଏବଂ ଆପରାଧିକ ଷଡ଼ଯନ୍ତ୍ର ମାମଲା (ଆଇପିସି ଦଫା ୩୦୨, ୩୨୪, ୧୪୭, ୧୪୮, ୧୪୯, ୧୨୦-ବି) ରୁଜୁ ହୋଇଥିଲା। ଅଗଷ୍ଟ ୨୦୦୮ରେ କୋର୍ଟ ହେମନ୍ତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

ଏହାପରେ ସେମାନେ ମେହସାଣା ଜିଲା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୨୦୧୪ରେ ଗୁଜରାଟ ହାଇକୋର୍ଟ ତାଙ୍କୁ ୩୦ ଦିନର ପାରୋଲ ମଞ୍ଜୁର କରିଥିଲେ। ମାତ୍ର ଅବଧି ଶେଷ ହେବା ପରେ ସେ ଜେଲକୁ ନ ଫେରି ଫେରାର ହୋଇଯାଇଥିଲେ। ଜୁଲାଇ ୨୦୧୪ରେ ହାଇକୋର୍ଟ ତାଙ୍କୁ ‘ପାରୋଲ ଜମ୍ପର’ (ଫେରାର୍‌ କଏଦୀ) ଘୋଷଣା କରିଥିଲେ।ଜେଲରୁ ଫେରାର ହେବା ପରେ ହେମନ୍ତ ‘ଟ୍ବିଙ୍କଲ ଡାଭେ’ ନାମରେ ନିଜ ପରିଚୟ ବଦଳାଇ ୨୦୧୭ ଯାଏ ଗୁଜରାଟ ପାଟନ ଏବଂ ଅହମ୍ମଦାବାଦରେ ରହିଥିଲେ।

ଏହାପରେ ସେ ମୁମ୍ବାଇ ପଳାଇଥିଲେ ଏବଂ ଅଭିନୟ ଜଗତରେ ପାଦ ଥାପିଥିଲେ। ସେ ଅନେକ ହିନ୍ଦୀ ଏବଂ ଗୁଜରାଟୀ ଚଳଚ୍ଚିତ୍ର, ୱେବ୍‌ ସିରିଜ ଏବଂ ନାଟକରେ ଚରିତ୍ର ଅଭିନେତା ଭାବେ କାମ କରିଥିଲେ। ପୋଲିସର କହିବାନୁଯାୟୀ, ଅମିତାଭ ବଚ୍ଚନ ଏବଂ ଆମିର ଖାନ୍‌ଙ୍କ ଅଭିନୀତ ବ୍ଲକ୍‌ବଷ୍ଟର ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ଏବଂ ରଣବୀର ସିଂଙ୍କ ‘ଜୟେଶଭାଇ ଜୋରଦାର’ ଭଳି ବଡ଼ ବ୍ୟାନରର ଫିଲ୍ମରେ ହେମନ୍ତ କାମ କରିସାରିଛନ୍ତି। ଏହାବ୍ୟତୀତ ସେ ‘ଯୁଗପୁରୁଷ’ ଏବଂ ‘ଗାନ୍ଧୀ ବିରୁଦ୍ଧ ଗୋଡ୍‌ସେ’ ଭଳି ପ୍ରସିଦ୍ଧ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ଏବଂ ସିରିଏଲ ଦୁନିଆରେ ସକ୍ରିୟ ଥାଇ ସର୍ବସାଧାରଣଙ୍କ ସାମ୍ନାକୁ ଆସୁଥିଲେ ମଧ୍ୟ ୧୨ ବର୍ଷ ଧରି ସେ ପୋଲିସ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ।