ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ, ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ । ତେବେ ମାମଲାର ଗମ୍ଭୀରତାକୁ ଦେଖି ବର୍ତ୍ତମାନ ପରିସ୍ଥିତିରେ ଜାମିନ ମଞ୍ଜୁର କରିବା ସମ୍ଭବ ନୁହେଁ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ଯଦିଓ ଅସୁସ୍ଥତା କାରଣରୁ ମୁନା ମହାନ୍ତି ପୂର୍ବରୁ ଅନ୍ତରୀଣ ଜାମିନ ପାଇଥିଲେ। କିନ୍ତୁ ସଦ୍ୟ ନିର୍ଦ୍ଦେଶନାମାରେ ମୁନା ମହାନ୍ତିଙ୍କ ଜାମିନ ଆବେଦନକୁ ମଧ୍ୟ ରଦ୍ଦ କରାଯାଇଛି।
ଆଗାମୀ ୩ ସପ୍ତାହ ଭିତରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ହୋଇଛି। କମ୍ବାଇନ ପୋଲିସ ସର୍ଭିସ ଏକ୍ଜାମିନେସନ ପାଇଁ ୨୦୨୪ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଶ୍ନପତ୍ର ବିଭ୍ରାଟ ଏବଂ ପରୀକ୍ଷା ପ୍ରକ୍ରିୟାରେ ଭୟଙ୍କର କେଳେଙ୍କାରୀ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁନା ମହାନ୍ତି ସମେତ ୧୭ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।
