ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶର ନଜର । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ସିଦ୍ଧାରାମୈୟା । ଡି.କେ ଶିବକୁମାରଙ୍କ ହାତକୁ ଯାଇପାରେ କ୍ଷମତାର ଚାବିକାଠି! । ତେବେ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ ରାଜ୍ୟର ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର (DK Shivakumar) କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି। କର୍ଣ୍ଣାଟକ କଂଗ୍ରେସ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବଂ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିଲା। ଏବେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ସିଦ୍ଧାରାମୈୟା ପଦ ଛାଡିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।
ସେପଟେ ସୂତ୍ର ଅନୁସାରେ, ସରକାର ଗଠନ ସମୟରେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ବାଣ୍ଟିବା ନେଇ ଏକ ବୁଝାମଣା ହୋଇଥିଲା। ସେହି ଫର୍ମୁଲା ଅନୁଯାୟୀ ଏବେ ଡି.କେ. ଶିବକୁମାରଙ୍କୁ ଶାସନ ଭାର ମିଳିବାକୁ ଯାଉଛି। କର୍ଣ୍ଣାଟକ କଂଗ୍ରେସର ଅନେକ ବରିଷ୍ଠ ନେତା ଏବଂ ମନ୍ତ୍ରୀ ଦିଲ୍ଲୀ ଗସ୍ତ କରି ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ ମଧ୍ୟ ଦେଖିବାକୁ ମିଳିପାରେ। ଯଦି ଏହି ପରିବର୍ତ୍ତନ ହୁଏ, ତେବେ ଦାକ୍ଷିଣାତ୍ୟରେ କଂଗ୍ରେସର ସବୁଠାରୁ ଶକ୍ତିଶାଳୀ ଗଡ଼ କୁହାଯାଉଥିବା କର୍ଣ୍ଣାଟକରେ ଏକ ନୂଆ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
