ବାଲଟ୍ ଓଭରରାଇଟିଂ ବିବାଦରେ ନବୀନଙ୍କ ବିରୋଧ: ଉପାସନାଙ୍କ ଦ୍ୱିତୀୟ ବାଲଟ୍‌କୁ ବିରୋଧ କରି କହିଲେ ‘ଅଗଣତାନ୍ତ୍ରିକ’

ଭୁବନେଶ୍ୱର, ୧୬ ମାର୍ଚ୍ଚ:ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରେ ମତଦାନ ଜାରି ରହିଥିବା ବେଳେ ବାଲଟ୍ ପେପର ଓଭରରାଇଟିଂକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ବାଲଟ୍ ପେପର ଦିଆଯିବାକୁ ନେଇ ବିଜେଡି ଓ କଂଗ୍ରେସ ପକ୍ଷରୁ ତୀବ୍ର ଆପତ୍ତି ଉଠିଛି। ଏହାକୁ ଅଗଣତାନ୍ତ୍ରିକ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଟୁ ଆଲୋଚନା କରିଛନ୍ତି।ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଧ୍ୟରେ ମତଦାନ ଚାଲିଛି। ପ୍ରଥମ ଦୁଇଟି ଆସନ ଭାରତୀୟ ଜନତା ପାର୍ଟି ପକ୍ଷରେ ଯିବା ପ୍ରାୟ ନିଶ୍ଚିତ ଥିବା ବେଳେ ଗୋଟିଏ ଆସନ ବିଜୁ ଜନତା ଦଳର ଖାତାକୁ ଯିବା ସ୍ପଷ୍ଟ। ତେବେ ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ବିଜେଡି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି।ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ମତଦାନ ଚାଲିଥିବା ବେଳେ ବିଜେପି ବିଧାୟିକା ଉପାସନା ମହାପାତ୍ର ନିଜ ମତାଧିକାର ସାବ୍ୟସ୍ତ କରିବାକୁ ପହଞ୍ଚିଥିଲେ। ପ୍ରିଜାଇଡିଂ ଅଫିସରଙ୍କ ଠାରୁ ପ୍ରଥମ ବାଲଟ୍ ପେପର ନେଇ ଭୋଟ୍ ଦେବା ବେଳେ ତାହାରେ ଓଭରରାଇଟିଂ ହୋଇଯାଇଥିଲା। ଭୋଟ୍ ନାକଚ୍ ହେବା ଭୟରେ ସେ ଦ୍ୱିତୀୟ ବାଲଟ୍ ପେପର ଦାବି କରିଥିଲେ।ତେବେ ଏହାକୁ ବିଜେଡି ଓ କଂଗ୍ରେସ ଏଜେଣ୍ଟମାନେ ବିରୋଧ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଥିଲେ ଯେ, କେମିତି ଭାବରେ ଉପାସନାଙ୍କୁ ଦ୍ୱିତୀୟ ସୁଯୋଗ ଦିଆଗଲା।ଏହି ବିବାଦ ନେଇ ପ୍ରତିକ୍ରିୟା ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଉପାସନାଙ୍କୁ ଦ୍ୱିତୀୟଥର ଭୋଟ୍ ଦେବାକୁ ସୁଯୋଗ ଦେବା ଅଗଣତାନ୍ତ୍ରିକ ଓ ନିର୍ବାଚନୀ ନିୟମର ଉଲ୍ଲଂଘନ। ବେଆଇନ ଭାବେ ଭୋଟ୍ ଗ୍ରହଣ କରାଯାଇଥିବା ନେଇ ସେ ଆପତ୍ତି ଜଣାଇଛନ୍ତି।ଏହି ଘଟଣାକୁ ନେଇ ରାଜ୍ୟସଭା ନିର୍ବାଚନ ମତଦାନ କେନ୍ଦ୍ରରେ ରାଜନୈତିକ ପରିବେଶ ଅସ୍ବାଭାବିକ ହେବା ଦେଖାଯାଇଛି।

Related Posts