ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରକାରୀ ଗାଡ଼ି କ୍ରୟ ନୀତିରେ ବଡ଼ ପରିବର୍ତ୍ତନ । ଜୁନ୍ ୧ରୁ କେବଳ ଇଭି କିଣିବେ ସରକାର । ପେଟ୍ରୋଲ-ଡିଜେଲ ଗାଡ଼ି କ୍ରୟ ଉପରେ କଟକଣା, ‘ୱାନ୍ ଅଫିସର୍ ୱାନ୍ ଭେହିକଲ୍’ ନୀତି କଡ଼ାକଡ଼ି । ରାଜ୍ୟ ସରକାରଙ୍କ ଯାନବାହନ କ୍ରୟ ନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି। ତେବେ ଜୁନ୍ ୧ ତାରିଖରୁ ସରକାରୀ କାର୍ଯ୍ୟରେ ବ୍ୟବହାର ପାଇଁ ନୂଆ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଗାଡ଼ି କିଣିବା ଉପରେ ପ୍ରାୟ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ଏହା ପରିବର୍ତ୍ତେ ସମସ୍ତ ବିଭାଗ, ସରକାରୀ ଉଦ୍ୟୋଗ, ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ସଂସ୍ଥା ଓ ସୋସାଇଟିଗୁଡ଼ିକ କେବଳ ବୈଦ୍ୟୁତିକ ଯାନ (EV) କ୍ରୟ କରିପାରିବେ।
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବିଶ୍ୱ ବଜାରରେ ଇନ୍ଧନ ମୂଲ୍ୟର ଅସ୍ଥିରତା ଏବଂ ସରକାରଙ୍କ ଇନ୍ଧନ ବ୍ୟୟକୁ ହ୍ରାସ କରିବା ସହ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ନୂତନ ନୀତି ଆଣାଯାଇଛି।ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଦ୍ୱାରା ଜାରି ସ୍ମାରକ ଅନୁଯାୟୀ, ବିଭିନ୍ନ ପଦମର୍ଯ୍ୟାଦାର ଅଧିକାରୀଙ୍କ ପାଇଁ ଇଭି କ୍ରୟ ନିମନ୍ତେ ସର୍ବାଧିକ ମୂଲ୍ୟ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି।
* କାହା ପାଇଁ କେତେ ମୂଲ୍ୟର ଇଭି?
– ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ଅନ୍ୟ ବିଚାରପତି ଓ ମନ୍ତ୍ରୀମାନଙ୍କ ପାଇଁ ସର୍ବାଧିକ ୩୦ ଲକ୍ଷ ଟଙ୍କା।
– ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଏବଂ ସଚିବ ସ୍ତରର ଅଧିକାରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା।
– ଜିଲ୍ଲାପାଳ, ଜିଲ୍ଲା ଜଜ୍ ଓ ଏସ୍ପିମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା।
* କ୍ରୟ ପୂର୍ବରୁ ଅର୍ଥ ବିଭାଗର ଅନୁମତି ବାଧ୍ୟତାମୂଳକ
ନୂତନ ନିୟମ ଅନୁସାରେ କୌଣସି ବିଭାଗ ସିଧାସଳଖ ଭାବେ ଗାଡ଼ି କିଣିପାରିବ ନାହିଁ। ପ୍ରଥମେ ଅର୍ଥ ବିଭାଗର ପୂର୍ବାନୁମୋଦନ ନେବାକୁ ପଡିବ। ଏହାସହ ପୁରୁଣା ଗାଡ଼ିର ନିର୍ଦ୍ଧାରିତ ବ୍ୟବହାର ଅବଧି ଶେଷ ହୋଇ ତାହା ସ୍କ୍ରାପିଂ କିମ୍ବା କଣ୍ଡେମ୍ନେସନ୍ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ନୂଆ ଇଭି କ୍ରୟ କରାଯାଇପାରିବ।
* କେବଳ ତିନି କମ୍ପାନୀର ଯାନ କ୍ରୟ
ସରକାରୀ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, କେବଳ ଟାଟା, ମହିନ୍ଦ୍ରା ଓ ମାରୁତୀ କମ୍ପାନୀ ନିର୍ମିତ ବୈଦ୍ୟୁତିକ ଯାନ ହିଁ ସରକାରୀ କ୍ରୟ ତାଲିକାରେ ସାମିଲ ହେବ।
* ‘ଜଣେ ଅଧିକାରୀ, ଗୋଟିଏ ଗାଡ଼ି’
ସରକାର ‘ୱାନ୍ ଅଫିସର୍ ୱାନ୍ ଭେହିକଲ୍’ ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଅନାବଶ୍ୟକ ଗାଡ଼ି ବ୍ୟବହାର ଓ ସରକାରୀ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଆସିବ ବୋଲି ଅଧିକାରୀମାନେ କହିଛନ୍ତି।
* ବ୍ୟତିକ୍ରମ କ୍ଷେତ୍ରରେ ମାତ୍ର ପେଟ୍ରୋଲ-ଡିଜେଲ ଯାନ
ଜୁନ୍ ୧ ପରେ ସାଧାରଣ ପରିସ୍ଥିତିରେ କୌଣସି ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି କ୍ରୟ କରାଯିବ ନାହିଁ। କେବଳ ଅତ୍ୟାବଶ୍ୟକ କିମ୍ବା ବିଶେଷ ପରିସ୍ଥିତିରେ ସରକାର ଅଲଗା ଅନୁମତି ଦେଇପାରିବେ।ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟରେ ସବୁଜ ଶକ୍ତି ବ୍ୟବହାର ବୃଦ୍ଧି ଏବଂ କାର୍ବନ ନିର୍ଗମନ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ ବୋଲି ଦେଖାଯାଉଛି।
