ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ପୁଲିସକୁ ନେଇ ପୁଣି ଥରେ ଗୁରୁତର ପ୍ରଶ୍ନ ଉଠିଛି। ସୌମ୍ୟରଞ୍ଜନ ଓ ରାକେଶଙ୍କ ମୃତ୍ୟୁ ଘଟଣାର ବିବାଦ ଥମି ନଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାକୁ କେନ୍ଦ୍ର କରି ଆଉ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଥାନା ହାଜତରେ ଜଣେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତଙ୍କୁ ପୁଲିସ ନିର୍ମମ ଭାବେ ମାଡ଼ ମାରିଥିବା ଏବଂ ସେହି ମାଡ଼ ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ମୃତ ସୁଶାନ୍ତ ଜଣେ ଦିବ୍ୟାଙ୍ଗ ଯୁବକ ଥିବାବେଳେ ତାଙ୍କୁ ପଚରାଉଚରା ନାମରେ ଥାନା ଭିତରେ ଥର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ଉଠିଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କୁ ସୁସ୍ଥ ଅବସ୍ଥାରେ ପୁଲିସ ନେଇଥିଲା, କିନ୍ତୁ ପରେ ତାଙ୍କର ମୃତଦେହ ଫେରିଥିଲା। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଛି।ଘଟଣାରେ ସମ୍ପୃକ୍ତ ଥିବା କିଛି ପୁଲିସ ଅଧିକାରୀଙ୍କ ଭୂମିକା ନେଇ ପ୍ରଶ୍ନ ଉଠୁଥିବା ବେଳେ ଜଣେ ଯୁବ ଆଇପିଏସ୍ ଅଧିକାରୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
* ବଢୁଛି ପୁଲିସ ଉପରେ ଅବିଶ୍ୱାସ:
ରାଜ୍ୟରେ ଗତ କିଛି ବର୍ଷ ଧରି ପୁଲିସ ହାଜତ ମୃତ୍ୟୁ, ଥାର୍ଡ ଡିଗ୍ରୀ ଓ ଅତ୍ୟଧିକ ବଳ ପ୍ରୟୋଗ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ଫଳରେ ସାଧାରଣ ଲୋକଙ୍କ ମନରେ ପୁଲିସ ପ୍ରତି ଆସ୍ଥା କ୍ରମଶଃ କମୁଥିବା ଚର୍ଚ୍ଚା ହେଉଛି।ବିରୋଧୀ ଦଳ ଓ ମାନବାଧିକାର କର୍ମୀମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି।
* ଆଇନଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନ:
ଅପରାଧୀମାନେ ପୁଲିସକୁ ଡରୁନାହାନ୍ତି, ଆଉ ପୁଲିସ କାହାକୁ ଡରୁନି—ଏଭଳି ଅଭିଯୋଗ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କବିସୂର୍ଯ୍ୟନଗର ଘଟଣା ସତ ହୋଇଥିଲେ ଏହା କେବଳ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ନୁହେଁ, ବରଂ ଆଇନର ଶାସନ ଓ ମାନବାଧିକାର ପ୍ରତି ଏକ ଗୁରୁତର ଚ୍ୟାଲେଞ୍ଜ ବୋଲି ମତ ପ୍ରକାଶ ପାଉଛି।ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ? ଥାନା ଭିତରେ କଣ ଘଟିଥିଲା? ଏହି ଘଟଣା ପଛରେ କିଏ ଦାୟୀ ?—ଏହି ସମସ୍ତ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛି ସାରା ରାଜ୍ୟ।
