ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶର ଝାନ୍ସୀ ସହରରେ ଓଡ଼ିଶାର ଜଣେ ଆଦିବାସୀ ନାବାଳିକାଙ୍କୁ ଚାଲାଣ, ବିକ୍ରି ଏବଂ ଦୀର୍ଘ ଦୁଇ ବର୍ଷ ଧରି କ୍ରମାଗତ ଭାବେ ଯୌନ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତି କରି କମିଶନ ଏହାକୁ ସ୍ଵତଃପ୍ରବୃତ୍ତ (Suo Motu) ଭାବେ ଗ୍ରହଣ କରିବା ସହ ଓଡ଼ିଶା ଓ ଉତ୍ତର ପ୍ରଦେଶର ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଅଞ୍ଚଳର ଜଣେ ୧୭ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଅନ୍ୟ ତିନି ଜଣ ଝିଅଙ୍କ ସହ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଇଥିଲା। ଗତ ମେ’ ୨୯ ତାରିଖରେ ପ୍ରକାଶିତ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନାବାଳିକା ଜଣକୁ ପ୍ରାୟ ତିନି ମାସ ଧରି ଏକ କୋଠରୀରେ ବନ୍ଦୀ କରି ରଖାଯାଇ କ୍ରମାଗତ ଭାବେ ଦୁଷ୍କର୍ମ କରାଯାଇଥିଲା।

ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହେବାରୁ ତାଙ୍କ ସହମତି ବିନା ଜବରଦସ୍ତି ଗର୍ଭପାତ କରାଯାଇଥିଲା। ଏତିକିରେ ନିର୍ଯାତନା ଶେଷ ହୋଇନଥିଲା; ତାଙ୍କୁ ୫୦,୦୦୦ ଟଙ୍କାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖରେ ବିକ୍ରି କରିଦିଆଯାଇଥିଲା ଏବଂ ଦୀର୍ଘ ଦୁଇ ବର୍ଷ ଧରି ଏକାଧିକ ବ୍ୟକ୍ତି ତାଙ୍କୁ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଇଆସୁଥିଲେ। ପୀଡ଼ିତା ଜଣକ କୌଣସି ପ୍ରକାରେ ଜଣେ ସ୍ଥାନୀୟ ଓକିଲଙ୍କ ସହାୟତାରେ ସେଠାରୁ ଖସି ଆସି ଝାନ୍ସୀ ପୁଲିସ ନିକଟରେ ପହଞ୍ଚିଥିଲେ।

ପୁଲିସ ତାଙ୍କ ବୟାନ ରେକର୍ଡ କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି, କେବଳ ଓଡ଼ିଶା ଫେରିବା ପାଇଁ ଏକ ଟ୍ରେନ୍ ଟିକେଟ୍ ଦେଇ ନିଜ ଦାୟିତ୍ୱ ସାରିଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଓଡ଼ିଶା ଫେରିବା ପରେ ଓଡ଼ିଶା ପୁଲିସ ତାଙ୍କ ବୟାନ ରେକର୍ଡ କରି ଘଟଣାର ତଦନ୍ତ ଚଳାଇଛି। ମାନବାଧିକାର କମିଶନ ଏହି ଘଟଣାକୁ ଗୁରୁତର ମାନବାଧିକାର ଉଲ୍ଲଂଘନ ଦର୍ଶାଇ ଉଭୟ ରାଜ୍ୟର ପୁଲିସ ପ୍ରଶାସନ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କ ଠାରୁ ବର୍ତ୍ତମାନର ତଦନ୍ତର ସ୍ଥିତି ଏବଂ ପୀଡ଼ିତାଙ୍କୁ ପ୍ରଦାନ କରାଯାଇଥିବା ସାହାଯ୍ୟ ଓ ପୁନର୍ବାସ ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି।