ନୂଆଦିଲ୍ଲୀ() ଭାରତର ମହଙ୍ଗା ସେଲିବ୍ରିଟି ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି କ୍ରିକେଟର ବିରାଟ କୋହଲି। ମୂଲ୍ୟବାନ ବ୍ୟକ୍ତିତ୍ୱ ତାଲିକାରେ ପ୍ରଥମ ସ୍ଥାନ ହାସଲ କରି ଥିବାବେଳେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩,୫୪୨ କୋଟି ଟଙ୍କା । ସେହିପରି ତାଲିକାର ୨ୟ ସ୍ଥାନରେ ଶାହରୁଖ ଖାନ୍‌ ଓ ୩ୟରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା । ଫର୍ଚ୍ୟୁନ ଇଣ୍ଡିଆ ଓ ଇଣ୍ଟରବ୍ରାଣ୍ଡ ଦେଶର ୨୫ ସବୁଠୁ ମହଙ୍ଗା ସେଲିବ୍ରିଟିଙ୍କ ଉପରେ ଅଧ୍ୟୟନ କରିଛି ।ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ଶୀର୍ଷ ୧୦ରେ ୩ ଜଣ କ୍ରିକେଟର ଓ ୭ ସିନେ ସେଲିବ୍ରିଟି ଅଛନ୍ତି । କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ଆଲିୟା ଭଟ୍ଟ ଓ ଅଲ୍ଲୁ ଅର୍ଜୁନ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ, ୭ମ, ୮ମ, ୯ମ ଓ ୧୦ମ ସ୍ଥାନରେ ଅଛନ୍ତି । ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ପ୍ରିୟଙ୍କା ସବୁଠୁ ଉପରେ ଅଛନ୍ତି । ଦୀପିକା ୧୧ତମ, ରଶ୍ମିକା ମନ୍ଦାନା ୧୭ତମ ଓ କ୍ରିତି ସାନନ, ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ସାଉଥ୍‌ ଅଭିନେତ୍ରୀ ନୟନତାରା ମଧ୍ୟ ସ୍ଥାନ ପାଇଛନ୍ତି । ମୂଲ୍ୟବାନ ବ୍ୟକ୍ତି ତାଲିକାରେ ଦିଲଜିତ ଦୋସାଂଝ, କରନ ଜୋହର, ସୌରଭ ଗାଙ୍ଗୁଲି ଓ ଭିକି କୌଶଲଙ୍କ ନାଁ ବି ଅଛି । ଅଧ୍ୟୟନରେ ବ୍ରାଣ୍ଡ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସେଲିବ୍ରିଟିଙ୍କ ଆୟ, ଫଲୋଅର ସଂଖ୍ୟା ଓ ବକ୍ସ ଅଫିସ୍‌ ସଫଳତା ସମେତ ଅନେକ ଅନ୍ୟ ଦିଗ ଯଥା- ସ୍ୱତନ୍ତ୍ରତା, ସାମଞ୍ଜସ୍ୟ, ସହଭାଗିତା, ବିଶ୍ୱାସ, ଆତ୍ମିୟତା ଓ ଦାୟିତ୍ୱ ଉପରେ ଫୋକସ୍‌ କରାଯାଇଥିଲା ଏ ସବୁ ମିଳିତ ଭାବେ ସେମାନଙ୍କ ଚୂଡ଼ାନ୍ତ ବ୍ରାଣ୍ଡ ଭାଲ୍ୟୁ ନିର୍ଦ୍ଧାରଣ କରେ ।