ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପଶ୍ଚିମବଙ୍ଗର ହାର୍ନେଟ୍ ଇଂଲିଶ ମିଡିୟମ୍ ସ୍କୁଲ ପରିସରରୁ ୧.୭୭ କୋଟି କ୍ୟାଶ୍ ସହ ଆପତ୍ତିଜନକ ସାମଗ୍ରୀ ଜବତ । ଦୁଇ ଆକାଉଣ୍ଟାଣ୍ଟ ଅଟକ । ତେବେ ସ୍କୁଲ ଭିତରୁ ମଦ ବୋତଲ, ବେଡରୁମ୍ ଭଳି ସଜାଯାଇଥିବା ଏକ ସେମି-ଫର୍ଣ୍ଣିସଡ୍ ରୁମ୍ ଏବଂ ଅନେକ ଆପତ୍ତିଜନକ ଯୌନ ଉଦ୍ଦୀପକ ସାମଗ୍ରୀ ମଧ୍ୟ ମିଳିଛି। ଶିକ୍ଷାନୁଷ୍ଠାନ ଭିତରେ ଏଭଳି କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲର ପାଣ୍ଠି ହେରଫେର ଅଭିଯୋଗକୁ ନେଇ ଜୁନ୍ ୧୦ ତାରିଖରେ ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ପାଲ ଥାନାରେ ଏକ ଅଭିଯୋଗ କରିଥିଲେ।

ସେ ସ୍କୁଲର ଜଣେ ଆକାଉଣ୍ଟାଣ୍ଟ ଏବଂ ଅନ୍ୟ କର୍ମଚାରୀଙ୍କ ସମେତ ଚାରି ଜଣଙ୍କ ବିରୋଧରେ ବିଶ୍ୱାସଘାତକତା ଓ ଠକେଇର ଅଭିଯୋଗ ଆଣିଥିଲେ। ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ, ସ୍କୁଲଟି କ୍ଷତିରେ ଚାଲୁଥିବା ବେଳେ ଯେତେବେଳେ ସେ ଆକାଉଣ୍ଟାଣ୍ଟ ଅଭିକ କୁମାର ନାଗଙ୍କୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସାମ୍ନାରେ ଭଲ୍ଟ ଖୋଲିବାକୁ କହିଥିଲେ, ସେତେବେଳେ ଏହି ବିପୁଳ ପରିମାଣର ଟଙ୍କା ଦେଖିବାକୁ ମିଳିଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ନୋଟ୍ ଗଣା ମେସିନ୍ ସାହାଯ୍ୟରେ ୧.୭୭ କୋଟି ଟଙ୍କା ଜବତ କରିଛି ଏବଂ ସ୍କୁଲର ଆକାଉଣ୍ଟାଣ୍ଟ ଓ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ଅଟକ ରଖି ପଚରାଉଚରା କରୁଛି।