ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁରକ୍ଷା ହଟାଯିବା ପରେ ନିଜ ସୁରକ୍ଷା ପାଇଁ ପାଖରେ ଏୟାରଗନ୍‌ ରଖିଲେ TMC ସାଂସଦ କୀର୍ତ୍ତି ଆଜାଦ। ଏନେଇ କୀର୍ତ୍ତି କହିଛନ୍ତି ଯେ, ତାଙ୍କର ସୁରକ୍ଷା ପ୍ରତ୍ୟାହାର ପରେ ସେ ବର୍ତ୍ତମାନ ବନ୍ଧୁକଚାଳନା ଅଭ୍ୟାସ କରୁଛନ୍ତି। ଯଦି ବିଜେପି ପାର୍ଟିର ଗୁଣ୍ଡାମାନେ ତାଙ୍କ ଉପରେ ଆକ୍ରମଣ କରନ୍ତି, ତେବେ ତାଙ୍କୁ ପ୍ରସ୍ତୁତ ରହିବାକୁ ପଡିବ। କୀର୍ତ୍ତି ଏକ ଏୟାରଗନ୍‌ ନିଜ ପାଖରେ ରଖିଛନ୍ତି।

କେନ୍ଦ୍ର ସରକାର ନା ରାଜ୍ୟ ସରକାର କିଏ ତାଙ୍କର ସୁରକ୍ଷା ପ୍ରତ୍ୟାହାର କରିଛନ୍ତି ବୋଲି ପଚରାଯିବାରୁ ଆଜାଦ କହିଛନ୍ତି ଯେ, ବିଜେପିରୁ ଅଲଗା ହେବା ପରେ ତାଙ୍କର ସୁରକ୍ଷା ହ୍ରାସ କରାଯାଇଥିଲା ।କୀର୍ତ୍ତି କହିଛନ୍ତି, ମୁଁ ଯେପର୍ଯ୍ୟନ୍ତ ବିଜେପିରେ ଥିଲି ସେପର୍ଯ୍ୟନ୍ତ ମୋତେ ୱାଇ-ପ୍ଲସ୍‌ ସୁରକ୍ଷା ମିଳିଥିଲା। କିନ୍ତୁ ଡିଡିସିଏ ପ୍ରସଙ୍ଗରେ ଦୁର୍ନୀତି ହୋଇଥିବା ମୁଁ କହିବା ପରେ ସେମାନେ ମୋତେ ଦଳରୁ ବାହାର କରିବା ସହିତ ମୋ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲେ। ଆଜାଦ କହିଛନ୍ତି ଯେ, ସେ ପୂର୍ବରୁ ଧମକ ଓ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ ଭୟଭୀତ ନୁହନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ ବିରୋଧୀ ରାଜନେତା ଓ ସେମାନଙ୍କ ପରିବାର ଉପରେ ଚାପ ଓ ଧମକ ଦିଆଯାଇଥିଲା।

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଦଳୀୟ ନେତାମାନଙ୍କ ଦଳ ପରିବର୍ତ୍ତନ ଉପରେ ମନ୍ତବ୍ୟ ଦେଇ ଆଜାଦ କହିଛନ୍ତି ଯେ, କେତେକଙ୍କୁ ଧମକ ଦିଆଯାଇଥିଲା ଓ ଅନ୍ୟମାନଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା ।ବିଜେପି ଇଡି ଓ ସିବିଆଇ ପରି କେନ୍ଦ୍ରୀୟ ସଂସ୍ଥାଙ୍କୁ ନିୟୋଜିତ କରୁଥିବା କୀର୍ତ୍ତି ଅଭିଯୋଗ କରିଛନ୍ତି। ସେମାନେ ଭୟଭୀତ କରିବାକୁ ଚାହାନ୍ତି, ଯିଏ ଡରି ଗଲା ସିଏ ଡରିଗଲା। ସେମାନେ ମୋତେ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଭୟଭୀତ ହେବା ଭଳି ଲୋକ ନୁହେଁ। ସେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ପରିବାରର ଭୂମିକା ଉଲ୍ଲେଖ କରି କହିଥିଲେ।