ଭୁବନେଶ୍ବର() ଆଜି ମୋହନ ସରକାର ଶାସନକୁ ୨ ବର୍ଷ ପୁରିଛି।  ୨ ବର୍ଷର ଅଭିଜ୍ଞତା ସହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋହନ ଚରଣ ମାଝୀ। ଏହି ଅବସରରେ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି  ନୁହେଁ ବରଂ ଜନସେବାର ମାଧ୍ୟମ’। ଶିକ୍ଷକରୁ, ସରପଞ୍ଚ, ବିଧାୟକ ଆଉ ମୁଖ୍ୟମନ୍ତ୍ରୀର ଦାୟୀତ୍ବ ସମସ୍ତଙ୍କ ନିଷ୍କପଟ ଭଲ ପାଇବା ଓ ଆଶୀର୍ବାଦରୁ ହିଁ ମିଳିପାରିଛି ବୋଲି କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ୨ ବର୍ଷ ପୁରିଥିବାବେଳେ ମୁଖ୍ୟମନ୍ତ୍ରୀ କହିଛିନ୍ତି ମୁଁ ଆପଣ ମାନଙ୍କ ଭିତରୁ ଜଣେ..। ସେ କହିଛନ୍ତି, ‘ମୁଁ ଆପଣଙ୍କ ଭାଇ, ଆପଣଙ୍କ ପୁଅ ଏବଂ ଆପଣଙ୍କ ମୋହନ’। ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହାସହ ଏହି ଅବସରରେ ଲୋକସେବା ଭବନରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୦୨୪, ଜୁନ୍‌ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ରାଜ୍ୟରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ। ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ  ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ ଏ ସରକାର  କେମିତି ଚାଲିବ? କିନ୍ତୁ, ପ୍ରଥମ ଓଭର ପ୍ରଥମ ବଲ୍‌ରୁ ମୋହନ ମାରିଲେ ଛକା । ଶପଥ ଗ୍ରହଣରୁ କ୍ୟାବିନେଟ ଟିମ୍‌ର ଗାଡ଼ି ସିଧା  ଛୁଟିଲା ଲୋକସେବା ଭବନକୁ । ପ୍ରତିଶ୍ରୁତି ପୂରଣର ପର୍ବ ଆରମ୍ଭ କରିଦେଲେ ମୋହନ ସରକାର। ଓଡ଼ିଆ ଅସ୍ମିତାକୁ ବନ୍ଦେ କହି ଖୋଲିଦେଲେ ଶ୍ରୀମନ୍ଦିରର ଚାରିଦ୍ୱାର।  ଘୋଷଣା ହେଲା ଶ୍ରୀମନ୍ଦିର ପାଇଁ କର୍ପସ ପାଣ୍ଠି । ଧାନ କୁଇଣ୍ଟାଲ  ୩୧୦୦ ଟଙ୍କା କରି ଚାଷୀ ଅଣ୍ଟାରେ ଭରିଲେ ବଳ । ନାରୀ ଶକ୍ତିକୁ  ସଶକ୍ତ କରିବାକୁ ଐତିହାସିକ ସୁଭଦ୍ରା ଯୋଜନାର ହେଲା ଶୁଭାରମ୍ଭ ।  ୨୪ ଘଣ୍ଟାରେ ମୋହନ ସରକାର ଦେଖାଇଥିଲେ ନିଜ ଦମ୍ଭ, ଦକ୍ଷ  ନେତୃତ୍ୱ ଓ ଓଡ଼ିଶା ପାଇଁ କିଛି ବଡ଼ କରିବାର ମନୋବୃତ୍ତି ଏବଂ ସଂକଳ୍ପ ।  ସବୁ ଆକଳନକୁ ଟପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ସରକାର ଗୋଟିଏ ପରେ ଗୋଟିଏ ସଫଳତା ଲେଖି ଚାଲିଲା ।  ସମାଜର ଶେଷ ଧାଡ଼ିରେ ଥିବା  ଲୋକଟିଏ ବି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରୀ ଜଣାଇ ପାରୁଛି ।  କେବଳ ଗୁହାରୀ ନୁହେଁ, ସମସ୍ୟାର ତତ୍କାଳ ସମାଧାନ ବି କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏମିତି ମୁଖ୍ୟମନ୍ତ୍ରୀଙ୍କୁ ପାଇ ଲୋକେ କହୁଛନ୍ତି, ଆମ  ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ… । ଡବଲ୍‌ ଇଞ୍ଜିନର ବଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଗମନାଗମନ,  ଗାଁର ବିକାଶ, ସହରୀ ଭିତ୍ତିଭୂମି ସବୁ ଦ୍ରୁତ ବେଗରେ ଧାଉଁଛି ।  ନିବେଶର ସୁଅ ମୁହାଁଇଛି ଓଡ଼ିଶାକୁ । ଆଇଟିରୁ ନେଇ ଏଆଇ  ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବୈପ୍ଳବିକ ଅଭିବୃଦ୍ଧି । ସବୁଠାରୁ  ବଡ଼ କଥା, ଯୁବବର୍ଗଙ୍କ ପାଇଁ ଖୋଲିଛି ନିଯୁକ୍ତିର ଦ୍ୱାର ।  ଦୁଇ ବର୍ଷ ଭିତରେ ବିଭିନ୍ନ ବିଭାଗରେ ହଜାର ହଜାର  ସରକାରୀ ପଦ ପୂରଣ ହୋଇଛି । ବୃତ୍ତିଗତ ଶିକ୍ଷାରେ  ସଂରକ୍ଷଣ ବୃଦ୍ଧି କରି ସବ୍‌କା ସାଥ୍‌ ସବ୍‌କା ବିକାଶର ନାରା  ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶାସନ ପ୍ରଶାସନରେ ବାବୁଗିରିର  ଅନ୍ତ ଘଟିଛି । ଦୁର୍ନୀତି ବିରୋଧରେ ଜାରି ରହିଛି କଠୋର  ଅଭିଯାନ । ଅନେକ ନୂଆ ଯୋଜନା ଯୋଡ଼ି ହୋଇଛି ରାଜ୍ୟର  ପ୍ରଗତିରେ । ପ୍ରମାଣିତ ହୋଇଛି-ପୂର୍ବ ସରକାର  ଯାହା ୨୪ ବର୍ଷରେ କରିପାରିନଥିଲେ,  ତାହାକୁ ୨୪ ମାସରେ କରି  ଦେଖାଇଛନ୍ତି ମୋହନ  ସରକାର ।