ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନିଟ୍-ୟୁଜି ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଥରେ ଲିକ୍ ହୋଇଯାଇଥିବାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ମଧ୍ୟରେ ଭାରତ ସରକାରଙ୍କ ପ୍ରେସ୍ ଇନଫରମେସନ ବ୍ୟୁରୋ (ପିଆଇବି) ର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ସମ୍ପୂର୍ଣ୍ଣ “ମିଥ୍ୟା ଓ ଭ୍ରମାତ୍ମକ” ବୋଲି ସ୍ପଷ୍ଟ କରିଛି। ପରୀକ୍ଷା ପାଇଁ ଆଉ ମାତ୍ର ପ୍ରାୟ ଗୋଟିଏ ସପ୍ତାହ ସମୟ ବାକି ଥିବା ବେଳେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ତୁରନ୍ତ ସ୍ପଷ୍ଟୀକରଣ ଦିଆଯାଇଛି।
ପିଆଇବି’ ଫ୍ୟାକ୍ଟ ଚେକ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ” ରେ ଏକ ଆଲର୍ଟ ଜାରି କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଏଭଳି ଅନଲାଇନ୍ ସ୍କାମ୍ କିମ୍ବା ଠକେଇର ଶିକାର ନହେବାକୁ ସତର୍କ କରାଯାଇଛି। ସୋସିଆଲ ମିଡିଆରେ ଯେଉଁ ପ୍ରଶ୍ନପତ୍ରର ଛବି ଓ ଲେଖା ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଜାଲ୍ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହିତ କୌଣସି ଅନଲାଇନ୍ ଗୁଜବ ଉପରେ ବିଶ୍ୱାସ ନକରି କେବଳ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ଅଫିସିଆଲ୍ ୱେବସାଇଟ୍ ରେ ପ୍ରକାଶିତ ସୂଚନାକୁ ହିଁ ଆଧାର କରିବାକୁ ପରୀକ୍ଷାର୍ଥୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ଗତ ମେ’ ୩ ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ ହେବା ପରେ ସରକାର ସେହି ପରୀକ୍ଷାକୁ ବାତିଲ କରିଦେଇଥିଲେ। ପ୍ରଶ୍ନପତ୍ର ଲିକ୍ କୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ବ୍ୟାପକ ବିରୋଧ ପ୍ରଦର୍ଶନ ଏବଂ ବିରୋଧୀ ଦଳଗୁଡ଼ିକର କଡ଼ା ରାଜନୈତିକ ସମାଲୋଚନା ପରେ ପୂର୍ବ ପରୀକ୍ଷାର ଫଳାଫଳକୁ ରଦ୍ଦ କରାଯାଇ ଜୁନ୍ ୨୧ ରେ ନୂତନ ଭାବେ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ।
