ଓ୍ବାଶିଂଟନ(ସତ୍ୟପାଠବ୍ୟୁରୋ)- ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍ ହ୍ରାସ ପରିଲକ୍ଷିତ ହୋଇଛି। ଦୀର୍ଘ ସମୟ ପରେ, ଶେଷରେ ଆମେରିକା ଏବଂ ଇରାନ ଏକ ବ୍ୟାପକ ଶାନ୍ତି ଚୁକ୍ତି ଉପରେ ଏକ ସହମତି ଦେଖାଇଛନ୍ତି। ଏହି ଚୁକ୍ତି ଘୋଷଣା କରିବା ସମୟରେ, ଆମେରିକା ରାଷ୍ଟ୍ରପତି କହିଛନ୍ତି, ହରମୁଜ୍ ପ୍ରଣାଳୀରେ ଆମେରିକା ଅବରୋଧ ହଟାଇବ। ଏହାସହ ଏହି ସାମୁଦ୍ରିକ ମାର୍ଗକୁ ପୁନଃ  ସମସ୍ତଙ୍କ ପାଇଁ ଖୋଲିବା ନେଇ ଘୋଷଣା କରାଯାଇଛି, ଯାହା ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେରିକା-ଇରାନ ଚୁକ୍ତି ପରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହଠାତ୍ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏହି ଖବର ପରେ, ସୋମବାର ପ୍ରାରମ୍ଭିକ କାରବାର ସମୟରେ ବ୍ରେଣ୍ଟ ଅଶୋଧିତ ତୈଳ ଫ୍ୟୁଚର୍ସ ୪% ହ୍ରାସ ପାଇଥିଲା, ଯେତେବେଳେ ୟୁ.ଏସ୍. ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ୪.୬% ରୁ ଅଧିକ ହ୍ରାସ ପାଇଛି। ଆମେରିକା-ଇରାନ ଏକ ଶାନ୍ତି ଚୁକ୍ତିର ସଙ୍କେତ ପୂର୍ବରୁ ଦେଖାଯାଉଥିଲା, ଏବଂ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ପରି ମନେ ହେଉଥିଲା। ତଥାପି, ଟ୍ରମ୍ପ ଯେତେବେଳେ ଡିଲ ଡନ ହୋଇଥିବା ନେଇ ଘୋଷଣା କରିବା ମାତ୍ରେ, ଅଶୋଧିତ ତୈଳର ଦର ଅଧିକ ମାତ୍ରାରେ ଖସିବାକୁ ଲାଗିଛି। ବ୍ରେଣ୍ଟ କ୍ରୁଡର ମୂଲ୍ୟ ୪ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପ୍ରତି $୮୩ ରେ ପହଞ୍ଚିଛି, ଯେତେବେଳେ WTI କ୍ରୁଡର ମୂଲ୍ୟ ବ୍ୟାରେଲ ପ୍ରତି $୮୦ ପାଖାପାଖି ପହଞ୍ଚିଛି। ଏହା ସହିତ, ମୁର୍ବାନ୍ କ୍ରୁଡର ମୂଲ୍ୟ ମଧ୍ୟ $୮୩ ରେ ରହିଛି। ଟ୍ରମ୍ପ କହିଛନ୍ତି, “ଇସଲାମିକ ଗଣରାଜ୍ୟ ଇରାନ ସହିତ ଚୁକ୍ତି ଏବେ ସମ୍ପୂର୍ଣ୍ଣ ହୋଇଛି।” ଏ ନେଇ ସେ ସମସ୍ତଙ୍କୁ ଅଭିନନ୍ଦନ ବି ଜଣାଇଛନ୍ତି। ଏହା ସହ ସେ କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଲାଗିଥିବା ସମସ୍ତ କଟକଣା ହଟାଯିବା ସହ ଆମେରିକୀୟ ନୌସେନା ଅବରୋଧକୁ ତୁରନ୍ତ ଉଠାଇବା ପାଇଁ ଅନୁମତି ଦିଆଯାଇଛି। ସେ ଆହୁରି କହିଛନ୍ତି, “ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଜାହାଜ, ତୁମର ଇଞ୍ଜିନଗୁଡ଼ିକ ଆରମ୍ଭ କର; ତେଲ ଯୋଗାଣ ଆରମ୍ଭ ହେବାକୁ ଦିଅ!” ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏହାର ଆକାଉଣ୍ଟରେ ଟ୍ରମ୍ପ ଏକ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି | ଟ୍ରମ୍ପଙ୍କ ଏହି ଘୋଷଣା ପରେ ସାରା ବିଶ୍ବକୁ ଆଶ୍ବସ୍ତି ମିଳିଛି। ଏହା ଉଲ୍ଲେଖନୀୟ ଯେ, ଫେବୃଆରୀ 28 ତାରିଖରେ, ଆମେରିକା ଏବଂ ଇସ୍ରାଏଲ ପ୍ରଥମ ଥର ପାଇଁ ଇରାନ ବିରୁଦ୍ଧରେ ଏକ ଆକ୍ରମଣ ଆରମ୍ଭ କରିଥିଲେ, ଏବଂ ପରବର୍ତ୍ତୀ ଇରାନ ପ୍ରତି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ କରିଥିଲା। ଏଥିରେ ଅନେକ ଲୋକଙ୍କ ଜୀବନ ହାନି ହୋଇଥିଲା। ଏହାସହ ହର୍ମୁଜ ପ୍ରଣାଳୀ ଉପରେ କଟକଣା ଲାଗୁ ହୋଇଥିବାରୁ ସାରା ବିଶ୍ବରେ ବଡ଼ ଧରଣର ତୈଳ ସଙ୍କଟ ଦେଖାଯାଇଥିଲା।