ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଅନିଲ ଅମ୍ବାନୀଙ୍କ ସଂସ୍ଥାର ୨ ଅଧିକାରୀ ଗିରଫ। ପ୍ରବର୍ତ୍ତନ ନିର୍ଦ୍ଦେଶଶଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇ ଦୁଇ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଉଛନ୍ତି ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସତୀଶ ସେଠ୍ ଓ ଗୌତମ ଭାଇଲାଲ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହ ସମ୍ପର୍କିତ ମାମଲାରେ ସେଠ୍ଙ୍କୁ ଓ ରିଲାଏନ୍ସ କମ୍ୟୁନିକେସନ ସହ ଜଡ଼ିତ ମାମଲାରେ ଗୌତମଙ୍କୁ ଗିରଫ କରାଯାଇଛି। ସେଠ୍ ଜଣେ ପ୍ରମୁଖ ଅଧିକାରୀ ଥିଲେ। ରିଲାଏନ୍ସ ଗ୍ରୁପ୍ର ଏକାଧିକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସେ ନେଉଥିଲେ। ଭିତ୍ତିଭୂମି, ଶକ୍ତି ଓ ଆନୁଷଙ୍ଗିକ ସଂସ୍ଥାଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟାରେ ତାଙ୍କ ଭୂମିକା ରହୁଥିଲା। ସେହିପରି ଗ୍ରୁପ୍ର ଆର୍ଥିକ କାରବାର ସହ ଜଡ଼ିତ ଥିଲେ ଗୌତମ। ସେ ଟିକସ, ଯୋଜନା, ନିୟମ ପାଳନ ଓ ବିପଦ ପରିଚାଳନା ଭଳି କାର୍ଯ୍ୟର ଦେଖାଶୁଣା କରୁଥିଲେ। ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ର ବିଭିନ୍ନ ସଂସ୍ଥା ପାଇଁ ଦେଶ ଓ ବିଦେଶର ବିଭିନ୍ନ ସଂସ୍ଥାଠାରୁ ଋଣ ଆଣିବା କାଗଜପତ୍ରରେ ସେ ଦସ୍ତଖତ କରୁଥିଲେ। ଇଡି ପକ୍ଷରୁ କୁହାଯାଇଛି ଯେ ଭିତ୍ତିଭୂମି ନିର୍ମାଣ ନାମରେ ଉଠାଯାଇଥିବା ଋଣ ଆତ୍ମସାତ କରିବାରେ ସେଠ୍ଙ୍କ ଭୂମିକା ଥିଲା। ରିଲାଏନ୍ସ କମ୍ୟୁନିକେସନ୍ସ ଓ ରିଲାଏନ୍ସ ଟେଲିକମ୍ ନାଁରେ ଆସୁଥିବା ଋଣ ହଡ଼ପ କରିବାରେ ଗୌତମଙ୍କ ଭୂମିକା ରହୁଥିଲା। ଉଭୟଙ୍କୁ ଗିରଫ କରିବା ପରେ ସ୍ବତନ୍ତ୍ର ପିଏମ୍ଏଲ୍ଏ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ସେମାନଙ୍କୁ ଇଡି ରିମାଣ୍ଡ୍ରେ ନେଇଛି। ଜଣଙ୍କୁ ମୁମ୍ବାଇ ଓ ଅନ୍ୟ ଜଣଙ୍କୁ ଦିଲ୍ଲୀ ସ୍ବତନ୍ତ୍ର ପିଏମ୍ଏଲ୍ଏ କୋର୍ଟରେ ହାଜର କରାଯାଇଥିଲା।
