ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ପୁଲିସ ଗୁଳିରେ ୯ ବର୍ଷର ଅଷ୍ଟ୍ରେଲୀୟ ଶିଶୁର ମୃତ୍ୟୁ । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଗତ ଜୁନ୍ ୧୦ ତାରିଖରେ ଘଟିଥିବା ଏକ ସାଂଘାତିକ ଏନକାଉଣ୍ଟର ଅପରେସନରେ ପୋଲିସର ଭୁଲ୍ ଗୁଳିଚାଳନା ଯୋଗୁଁ ଜଣେ ୯ ବର୍ଷର ଅଷ୍ଟ୍ରେଲୀୟ ଶିଶୁକନ୍ୟା ‘ହାନିଆ ଅହମ୍ମଦ’ଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଶିଶୁଟିର ବାପା ଆଦିଲ୍ ଅହମ୍ମଦ ଏବଂ ତାଙ୍କ ଭାଇ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆରୁ ପାକିସ୍ତାନକୁ ଛୁଟି କାଟିବାକୁ ଆସିଥିବା ଏହି ପରିବାରଟି ଏକ ଭଡ଼ା ଗାଡ଼ିରେ ଯାତ୍ରା କରୁଥିଲେ। ଏହି ସମୟରେ କିଛି ସଶସ୍ତ୍ର ଡକାୟତ ସେମାନଙ୍କ ଗାଡ଼ିକୁ ବନ୍ଧୁକ ମୁନରେ ଅପହରଣ କରି ସେମାନଙ୍କୁ ପଣବନ୍ଦୀ (Hostage) କରି ରଖିଥିଲେ।
ପାକିସ୍ତାନ ପୋଲିସ ଡକାୟତଙ୍କୁ ଧରିବା ପାଇଁ ଅପରେସନ କରିବା ବେଳେ ସାଧାରଣ ନାଗରିକ ଥିବା ସେହି ଗାଡ଼ିକୁ ଅପରାଧୀଙ୍କ ଗାଡ଼ି ଭାବି ଭୁଲବଶତଃ ଆଖିବୁଜା ଗୁଳିମାଡ଼ କରିଥିଲା। ଉଦ୍ଧାର କରିବା ପରିବର୍ତ୍ତେ ପୋଲିସର ଏହି ବେପରୁଆ କାର୍ଯ୍ୟାନୁଷ୍ଠାନ ଏକ ନିଷ୍ପାପ ଶିଶୁର ଜୀବନ ନେଇଛି ।ଏହି ଖବର ସାମ୍ନାକୁ ଆସିବା ପରେ ଅଷ୍ଟ୍ରେଲିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ପାକିସ୍ତାନ ସରକାରଙ୍କ ନିକଟରେ କଡ଼ା ଆପତ୍ତି ଜଣାଇଛନ୍ତି। ସେ ଏହି ଘଟଣାର ଏକ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି କରିଛନ୍ତି ।
