ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ୱାମୀ ବିଦ୍ରୋହୀ କ୍ୟାମ୍ପରେ । ହେଲେ ଶେଷ ନିଶ୍ୱାସ ଯାଏଁ ମମତାଙ୍କ ସହ ରହିବେ ବୋଲି କହିଲେ ୫ ଥର ବିଧାୟିକା ନୟନା ବନ୍ଦୋପାଧ୍ୟାୟ ।ଟିଏମସି ପକ୍ଷରୁ ୫ ଥର ବିଧାୟିକା ହୋଇଥିବା ନୟନା ବନ୍ଦୋପାଧ୍ୟାୟ ସ୍ୱାମୀଙ୍କ ବିଦ୍ରୋହୀ ଭୂମିକାକୁ ନାପସନ୍ଦ କରିଛନ୍ତି । ସ୍ୱାମୀ ବିଦ୍ରୋହୀ ହୋଇଥିଲେ ମଧ୍ୟ ସେ ଶେଷ ନିଶ୍ୱାସ ଯାଏଁ ମମତାଙ୍କ ସହ ରହିବା ନେଇ ଦୃଢୋକ୍ତି ବାଢିଛନ୍ତି । ନୟନା କହିଛନ୍ତି ଯେ, ସୁଦୀପ ତାଙ୍କୁ ବୁଝାଇ ପାରିବେ ନାହିଁ । ସୁଦୀପ ଟିଏମସି ଛାଡି ଦେଇଛନ୍ତି । ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ଯେତେ କହିଲେ ବି ସ୍ୱାମୀ କଥା ମାନିନଥିଲେ । ଏବେ ସ୍ୱାମୀଙ୍କ କଥା ସେ କିଛି ବୁଝିବେ ନାହିଁ ।

ଏହାସହ ନୟନା କହିଛନ୍ତି ଯେ, ମମତା ବାନାର୍ଜୀ ମାଆ ଦୁର୍ଗାଙ୍କ ସହ ସମାନ । ସେ ମମତାଙ୍କ ସହ ଶେଷ ଯାଏଁ ରହିବେ । ସେ ନିଜ ନିଷ୍ପତ୍ତିରେ ଅଟଳ ଅଟନ୍ତି । ଯଦି ମମତା ତାଙ୍କୁ ଦଳରୁ ବିଦା କରନ୍ତି ସେ ଏକ ଅନାଥ ଶିଶୁ ଭଳି ଗଳିରେ ବୁଲିବେ ପଛେ ଅନ୍ୟ କେଉଁ ଦଳରେ ସାମିଲ ହେବେ ନାହିଁ । ସାମ୍ବାଦିକଙ୍କୁ ସୁଦୀପ କହିଥିଲେ ଯେ, ସେ ପତ୍ନୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି । ଅନେକ ଉଦାହରଣ ଅଛି । ଯେଉଁଠି ପତି ଏବଂ ପତ୍ନୀ ଭିନ୍ନ ଦଳରେ ରାଜନୀତି କରୁଛନ୍ତି । ସୌଗତ ରୟ ଏବଂ ତଥାଗତ ରୟଙ୍କ କ୍ଷେତ୍ରରେ ସମାନ କଥା ଦେଖିବାକୁ ମିଳିଛି । କେରଳରେ ମଧ୍ୟ ଏପରି ଉଦାହରଣ ଅଛି ।ଏହା ପ୍ରଥମ ଥର ନୁହେଁ । ୨୦୦୪ରେ ସୁଦୀପ ଏବଂ ମମତାଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହାପରେ ସୁଦୀପ ସ୍ୱାଧିନ ଭାବେ ସାଂସଦ ପଦ ପାଇଁ ଲଢିବେ ବୋଲି ନିଷ୍ପତ୍ତି ନେଇଥିଲେ । ପରେ ସେ କଂଗ୍ରେସରେ ମିଶିଥିଲେ । ସେତେବେଳେ ନୟନା ସ୍ୱାମୀଙ୍କ ସମର୍ଥନରେ ଥିଲେ । ଫଳରେ ଟିଏମସିରୁ ତାଙ୍କୁ ବିଦା କରାଯାଇଥିଲା । ପରେ ଉଭୟ ଟିଏମସିରେ ପୁଣି ସାମିଲ ହୋଇଥିଲେ ।