ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଚାପୁଡ଼ା ମାରିବାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ପ୍ରତିଷ୍ଠାତାଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଏନେଇ ପ୍ରତିକ୍ରିୟା ଦେଇ ଅଭିଜିତ୍ ଏହି ଘଟଣାକୁ ଦେଶରେ ବଢ଼ୁଥିବା ‘ଭୟଙ୍କର ବେକାରୀ ସମସ୍ୟା’ର ଏକ ପ୍ରତିଫଳନ ବୋଲି କହିଛନ୍ତି ଏବଂ ଯଦି ଦେଶର ସେହି ଯୁବକମାନଙ୍କ ପାଖରେ ଭଲ ଚାକିରି ଥାନ୍ତା । ତେବେ ସେମାନେ ମାତ୍ର ୧,୦୦୦ କିମ୍ବା ୨,୦୦୦ ଟଙ୍କା ପାଇ ଏଭଳି ହିଂସାତ୍ମକ କାର୍ୟ୍ୟ କରିବାକୁ ଆସିନଥାନ୍ତେ । ତେଣୁ ସରକାର ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇବା ଦିଗରେ ଧ୍ୟାନ ଦେବା ଉଚିତ୍ ବୋଲି କହି ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଦୀପକେ। ଏହି ଆକ୍ରମଣକୁ ନେଇ କକ୍ରୋଚ୍ ପାର୍ଟିର ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ଅଭିଯୁକ୍ତଙ୍କ ଫଟୋ ଜାରି କରି ସେମାନଙ୍କୁ “ବିଜେପିର ଗୁଣ୍ଡା” ବୋଲି ଆକ୍ଷେପ କରିଛନ୍ତି ଏବଂ ସମସ୍ତ ଅପରାଧୀଙ୍କ ଚେହେରା ଚିହ୍ନଟହୋଇସାରିଥିବାରୁ ସେମାନଙ୍କୁ ସର୍ବସମ୍ମୁଖରେ ପଦାକୁ ଅଣାଯିବ ବୋଲି କହିଛନ୍ତି।
ନିଟ୍ ପେପର୍ ଲିକ୍ ଓ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଏହି ଦଳ ପକ୍ଷରୁ ଆସନ୍ତା ଜୁନ୍ ୨୦ ତାରିଖରୁ ନୂଆଦିଲ୍ଲୀରେ ଏକ ଅନିର୍ଦ୍ଦିଷ୍ଟ କାଳୀନ ମହା-ଆନ୍ଦୋଳନ ପାଇଁ ସମର୍ଥକମାନଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପଟେ, ପୋଲିସ ଏହି ମାମଲାରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣଙ୍କୁ ଗିରଫ କରିଛି।
