ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି। ଏନେଇ ସିଏମଓକୁ ଭୁଲ ପୁସ୍ତକର ସାମ୍ପଲ କପି ଯାଇଥିବାବେଳେ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ଗଣଶିକ୍ଷା ସଚିବ, ଓସେପା ନିର୍ଦ୍ଦେଶକ, ଏସସିଇଆରଟି ନିର୍ଦ୍ଦେଶକ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପାଠ୍ୟ ପୁସ୍ତକରେ ଥିବା ତ୍ରୁଟି ତୁରନ୍ତ ସୁଧାରିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଦୋଷୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାଠ୍ୟପୁସ୍ତକରେ ଭୁଲ୍କୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇଥିବାବେଳେ ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହିରେ ଚିହ୍ନଟ ହୋଇଛି ୧୬୭୮ଟି ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି। କେବଳ ଅଷ୍ଟମ ଶ୍ରେଣୀ ବହିରେ ରହିଛି ୭୦୫ଟି ଭୁଲ। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଚଳିତ ବର୍ଷ ଛପାଯାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିର ଏ ହେଉଛି ବିକଳ ଚିତ୍ର। ଖରା ଛୁଟି ସରିବାକୁ ବସିଥିବା ବେଳେ ଏଯାଏ ପିଲାଙ୍କୁ ସବୁ ବହି ମିଳିନି, ଆଉ ଯେଉଁ ବହି ମିଳିଛି ସବୁ ଶ୍ରେଣୀରେ ଦେଖିବାକୁ ମିଳିଛି ଏଭଳି ମାଳ ମାଳ ଭୁଲ। ରାଜ୍ୟ ସରକାରଙ୍କ ଏସସିଇଆରଟି ଦ୍ବାରା ମୁଦ୍ରିତ ପଞ୍ଚମ ଶ୍ରେଣୀର ‘ଆମ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ ଗଞ୍ଜାମ ବଦଳରେ ଲେଖାଯାଇଛି ବ୍ରହ୍ମପୁର ଜିଲ୍ଲାର ହୁମା ଲୁଣ ମରା ପାଇଁ ପ୍ରସିଦ୍ଧ। ସବୁ ଭୁଲ୍ କୁ ଟପି ଯାଇଛି ସପ୍ତମ ଶ୍ରେଣୀର ସାମାଜିକ ବିଜ୍ଞାନ ବହି। ଯେଉଁଥିରେ ଓଡ଼ିଶା ବିଧାନସୌଧ ବଦଳରେ ଛପାଯାଇଛି କର୍ଣ୍ଣାଟକ ବିଧାନସଭାର ଚିତ୍ର। ସେହିପରି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ନିୟମଗିରି ଝାଡ଼ଖଣ୍ଡ ରାଜ୍ୟର ବୋଲି ଲେଖାଯିବା ଭଳି ସାଂଘାତିକ ତ୍ରୁଟି ସମସ୍ତଙ୍କୁ ତାଜୁବ କରିଛି। ଗୋଟିଏ କି ଦୁଇଟି ନୁହଁ ସୂଚନା ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବିଭିନ୍ନ ବହିରେ ମୋଟ୍ ୧୬୭୮ଟି ସ୍ଥାନରେ ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି ରହିଛି। ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ବର୍ଷ ଆରମ୍ଭରୁ ବହି ମିଳିବାରେ ବହୁ ବିଳମ୍ବ ହୋଇଥିଲା। ଏଯାଏ ସବୁ ବହି ମିଳିନି। ଏବେ ପୁଣି ବହି ସଂଶୋଧନ ପାଇଁ ଯଦି ପଠାଯାଏ ତାହେଲେ ଅଧିକ ସମୟ ନଷ୍ଟ ହେବ। ପାଠ୍ୟପୁସ୍ତକ ଛାପିବା ଦାୟିତ୍ବ ଏସସିଇଆରଟିର। ବହି ଛାପିବା ବେଳେ ତଥ୍ୟଗତ ଗବେଷଣା ସହ ସେଗୁଡ଼ିକର ତର୍ଜମା କରାଯାଇ ନିର୍ଭୁଲ ଭାବେ ଛପାଯାଏ। ଛପା ପରେ ତାକୁ ତନ୍ନ ତନ୍ନ କରି ଯାଂଚ ବି କରାଯାଇଥାଏ। ତା ସତ୍ତ୍ବେ ଏତେ ଭୁଲ କିପରି ହେଲା ତାକୁ ନେଇ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏତେ ସବୁ ତ୍ରୁଟି କିପରି ହେଲା ତାହାର ତଦନ୍ତ ଚାଲିଛିା ଅନ୍ୟପଟେ କାଲିଠୁ ସ୍କୁଲ ଖୋଲିବାକୁ ଯାଉଛି । ଯଦି ଏପରି ଭୁଲ ରହିବ ପୁସ୍ତକରେ ତାହାଲେ ଛାତ୍ର ଛାତ୍ରୀ ପଢିବେ କିପରି । ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
